ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଜି ତିନ୍ ତଲାକ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ | ଏହି ଅବସରରେ ରବିଶଙ୍କର କହିଛନ୍ତି ଯେ ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି | ରବିଶଙ୍କର କହିଛନ୍ତି ଯେ ଲୋକ ଆମକୁ ଆଇନ ଗଠନ ପାଇଁ ଚୟନ କରିଛନ୍ତି ଆଇନ କରିବା ଆମର କାମ | ଏହି ଆଇନ ତିନ୍ ତଲାକରେ ପୀଡିତ ମହିଳାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ |

ତେବେ ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି | ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ବିଲରେ କୁହାଯାଇଥିବା କଥା ସମ୍ବିଧାନ ବିରୋଧୀ | ଏହାକୁ ତେଣୁ ବିରୋଧ କରାଯିବ | ଏଠାରେ ସୂଚନା ଥାଉ କି ପୂର୍ବରୁ ଜେଡିୟୁ ମଧ୍ୟ ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା |

ପୂର୍ବରୁ ଜେଡିୟୁ ପକ୍ଷରୁ କୁହାଯାଇଥିଲା ଯେ ଏହି ବିଧେୟକ ବିରୋଧରେ ଦଳ ପୂର୍ବରୁ ରହିଆସିଛି | ଆଗାମୀ ଦିନରେ ବି ବିରୋଧ କରିବ | ଜେଡିୟୁର ନେତା ଶ୍ୟାମ ରଜକ କହିଥିଲେ ଯେ ତିନ୍ ତଲାକ ଏକ ସାମାଜିକ ପ୍ରସଙ୍ଗ ଯାହାକୁ ସାମାଜିକ ସ୍ତରରେ ହିଁ ସମାଧାନ କରାଯିବା ଆବଶ୍ୟକ |