ଓଡ଼ିଶା ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିବା ୧୦୨ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଶାସନିକ ଅଧିକାରୀ ଭାବରେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ହେବ । ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତି ନେବାକୁ ହେବ । ତେଣୁ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ କଲ୍ୟାଣ ତାଙ୍କର ସବୁ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାରଙ୍କର ୩ଟି ମନ୍ତ୍ର ସମ୍ପର୍କରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଜୀବନରେ ପରିବର୍ତନ ପାଇଁ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା ଏବଂ ଦଳଗତ ହୋଇ କାର୍ଯ୍ୟ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ବର୍ତମାନ ଏହି ମନ୍ତ୍ରରେ ରାଜ୍ୟ ସରକାର ସମୟକୁ ସାମିଲ କରିଛନ୍ତି । ସମୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯାହାକୁ କେହି ଅଣଦେଖା କରିପାରିବେ ନାହିଁ । ତେଣୁ ଆମର ପ୍ରଶାସନରରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆମେ (ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା, ଦଳଗତ ହୋଇ କାର୍ଯ୍ୟ କରିବ. ରୂପାନ୍ତରଣ ଓ ସମୟ) ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ, ପ୍ରଶାସନିକ ଅଧିକାରମାନେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହିତ ସଫଳ ଭାବେ ନିଜ ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡ୍ରୀ, ଶକ୍ତି, ଏମ୍ଏସ୍ଏମ୍ଇ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଏସ୍.ଏନ୍. ଗିରିଶ ସ୍ୱାଗତ ଭାଷଣ ଦେଇଥିଲେ ।

ସୂଚନାଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ଓଡ଼ିଶା ସିଭିଲ ସର୍ଭିସ ପାଇଁ ୧୦୨ ଜଣ ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ମହିଳା ଥିବାବେଳେ ୪ଜଣ ଭିନ୍ନକ୍ଷମ ମନୋନୀତ ହୋଇଛନ୍ତି । ଏଥିରେ ୩୬ ଜଣ ଓ.ଏ.ଏସରେ ଯୋଗ ଦେଇଥିବାବେଳେ ୯ଜଣ ଓ.ପି.ଏସରେ, ୨୪ଜଣ ଓ.ଏଫ୍.ଏସରେ, ୩ଜଣ ସମବାୟ ସେବା, ୨୦ଜଣ ରାଜସ୍ୱ ସେବା ଏବଂ ୧୪ ଜଣ ଟିକସ ଓ ଆକାଉଂଟସ୍ ସେବାରେ ଯୋଗ ଦେଇଛନ୍ତି ।