ଆଜି ‘ପଖାଳ ଦିବସ’

ଭୁବନେଶ୍ୱର: ପ୍ରତିଟି ଓଡିଆଙ୍କ ପ୍ରିୟ ପଖାଳ ପାଇଁ ଦିନଟିଏ । ଭାତ ଟିକିଏ ଖାଇ ତୋରାଣି ପିଇ ଦେଲେ ପେଟ ଶାନ୍ତି ହୋଇଯାଏ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ସାଧାରଣତଃ ବାସି ପଖାଳର ସ୍ୱାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା ଥାଏ। ଘରମାନଙ୍କରେ ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତା, ଶାଗ ଭଜା, ପୀଠଉ ଭଜା, ଚୁନା ମାଛ ଭଜା, ପୋହଳା ମାଛ ଭଜା ଆଦି ବିଭିନ୍ନ ପ୍ରକାରର ଡିସ୍ ତିଆରି ହୋଇଥାଏ । ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ସ୍ୱତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ଖାଇବାକୁ ନାନାପ୍ରକାରର ଡିସ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ । ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ ଇତ୍ୟାଦି । ହେଲେ ଚଳିତ ବର୍ଷ କୋରୋନା ଭୟ ଯୋଗୁଁ ପଖାଳ ଦିବସ ଟିକିଏ ଫିକା ପଡିଯାଇପାରେ ।

ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗ ମଧ୍ୟରେ ବି ଏହା ଅନ୍ତର୍ଭୁକ୍ତ । ଖରାଦିନେ ଦେହରେ ତାପମାତ୍ରା ନିୟନ୍ତ୍ରଣ ରଖିବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏହା ଏକ ଉପାଦେୟ ଖାଦ୍ୟ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଖାସ କରି ଭୁବନେଶ୍ୱରର ବିଭିନ୍ନ ବଡ ବଡ ହୋଟେଲ ମାନଙ୍କରେ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥାଏ ।