ଶେଷରେ ନିର୍ଭୟା ପାଇଲେ ନ୍ୟାୟ; ଫାଶୀ ଖୁଂଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ: ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଆଇନ୍ କୁ ବ୍ୟବହାର କରି ବାରମ୍ବାର ଫାଶୀରୁ ବଂଚିଯାଉଥିବା ୪ ଦୋଷୀ ଆଜି ଫାଶୀ ଖୁଂଟରେ ଝୁଲିଛନ୍ତି । ଏହି ୪ ଦୋଷୀ ଶୁକ୍ରବାର ଭୋର ୫ଟା ୩୦ରେ ଫାଶୀ ଖୁଂଟରେ ଝୁଲିଛନ୍ତି । ଯାହାକୁ ନେଇ ସାରା ଦେଶ ଖୁସି ମନାଇବା ସହ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି ।

ଗତକାଲି ନିର୍ଭୟା ଦୋଷୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହା ପରେ ଫାଶୀ ସୁନିଶ୍ଚିତ ହୋଇଯାଇଥିଲା । ଦୋଷୀମାନଙ୍କ ଓକିଲ ମଧ୍ୟ ରାତି ୧ଟା ୩୦ରେ ସୁପ୍ରିମକୋର୍ଟ ପହଂଚିଥିଲେ । ପ୍ରାୟ ସାଢ଼େ ୪ଟାରେ ଚାରି ଦୋଷୀ ଶାରୀରିକ ଭାବେ ସୁସ୍ଥ ଅଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଇଥିଲା । ଫାଶୀ ପୂର୍ବରୁ ତିହାର ଜେଲରେ ଅର୍ଦ୍ଧସୈନିକ ବଳ ମୁତୟନ ଥିଲେ । ନିର୍ଭୟା ଦୋଷୀମାନଙ୍କୁ ସେମାନଙ୍କ ସେଲ ଭିତରୁ ଫାଶୀଗୃହକୁ ନିଆଯାଇଥିଲା । ଦୋଷୀମାନଙ୍କ ସହ ସୁପରିଟେଣ୍ଡେଂଟ ଓ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ । ଏହି ସମୟରେ ତିହାର ଜେଲ ବାହାରେ ବହୁ ସଂଖ୍ୟାରେ ଲୋକ ଭିଡ ଥିଲେ । ପ୍ରତ୍ୟେକ ଦୋଷୀଙ୍କ ସହିତ ୧୨ ଜଣ ସୁରକ୍ଷାକର୍ମୀ ଥିଲେ । ମୋଟ ୪୮ ଜଣ ସୁରକ୍ଷା କର୍ମୀ ୪ ଜଣଙ୍କ ପାଖରେ ଥିଲେ । ୫ଟା ୨୮ରେ ଦୋଷୀମାନଙ୍କ ମୁହଁରେ କପଡ଼ା ବାନ୍ଧି ଦିଆଯାଇଥିଲା । ଠିକ ସାଢ଼େ ୫ଟା ୩୦ରେ ତିନି ନମ୍ବର ଜେଲରେ ପବନ, ଅକ୍ଷୟ, ମୁକେଶ ଓ ବିନୟଙ୍କୁ ଫାଶୀ  ଦିଆଯାଇଥିଲା । ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ତିହାର ଜେଲ ବାହାରେ ଭାରତ ମାତା କି ଜୟ ଶ୍ଲୋଗାନ ଶୁଭିଥିଲା ।

ଫାଶୀ ଦେବା ପୂର୍ବରୁ ଉତ୍ତରପ୍ରଦେଶର ମେରଠରୁ ତିହାର ଜେଲ ଆସିଥିବା ପବନ ଜଲ୍ଲାଦ ଚାରି ଜଣ ଦୋଷୀଙ୍କ ହାତ ଓ ଗୋଡ଼ ବାନ୍ଧି ସେମାନଙ୍କ ମୁହଁରେ କପଡ଼ା ଘୋଡେଇ ଦେଇଥିଲେ। ଏହା ପରେ ଗଳାରେ ଦଉଡି ଫାଶ ପକାଇ ଥିଲେ। ଜେଲ ଅଧୀକ୍ଷକ ନିର୍ଦ୍ଦେଶ ଦେବା ପରେ ଜଲ୍ଲାଦ ଦଉଡ଼କୁ ଟାଣି ଥିଲେ। ମାତ୍ର କେଇଁ ମିନିଟି ଛଟପଟ ହେବା ପରେ ଫାଶୀଖୁଂଟରେ ଦୋଷୀମାନଙ୍କ ହାତଗୋଡ଼ ଛଟପଟ ବନ୍ଦ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଜେଲ ମେନ୍ୟୁଆଲ ଅନୁସାରେ ଦୋଷୀମାନଙ୍କୁ ଅଧଘଂଟା ଯାଏଁ ଫାଶୀର ଫନ୍ଦାରେ ରଖାଯାଇଥାଏ। ସମୟ ଶେଷ ହେବା ପରେ ଫାଶୀଖୁଂଟରୁ ମୃତଦେହଗୁଡ଼ିକ ବାହାର କରାଯାଇ ଡାକ୍ତରଙ୍କ ଦ୍ୱାରା ଯାଂଚ କରାଯାଇଥାଏ। ଏହି ଯାଂଚ ସମୟରେ ଫାଶୀରେ ଝୁଲା ଯାଇଥିବା ଦୋଷୀଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଥାଏ। ଶେଷରେ ଦୋଷୀଙ୍କ ପରିବାର ଲୋକଙ୍କୁ ଏକ ସତ୍ୟପାଠ ମଗାଯାଇଥାଏ, ଯେଉଁଥିରେ ଲେଖାଯାଇଥାଏ ଯେ, ସେମାନେ କୌଣସି ପ୍ରଦର୍ଶନ କରିାପାରିବେ ନାହିଁ ଓ ଦୋଷୀଙ୍କୁ ସିଧାସଳଖ ଅନ୍ତିମ ସଂସ୍କାର କରିବେ। ସତ୍ୟପାଠ ମିଳିବା ପରେ ପରିବାର ଲୋକଙ୍କୁ ମୃତହେଦ ହସ୍ତାନ୍ତର କରାଯାଇଥାଏ।