ଅନ୍ତର୍ଜାତୀୟ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ ଘଟିଛି । ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ଥିବା ସୋନି ମେହେଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କୁ ବିବାହ କରିଥିଲେ।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟାଙ୍କର ଗତକାଲି  ୭୭ ବର୍ଷ ବୟସରେ ପରଲୋକ ଘଟିଛି।

ପ୍ରକାଶନ କ୍ଷେତ୍ରକୁ ଉଲ୍ଲେଖନୀୟ  ଅବଦାନ ଲାଗି ଭାରତ,ଇଂଲଣ୍ଡ ଓ ଆମେରିକାର ବହୁ ସଂସ୍ଥା ଦ୍ୱାରା ସେ ଜୀବନବ୍ୟାପି ଅବଦାନ ଲାଗି ସମ୍ମାନିତ ହୋଇଥିଲେ। ଆମେରିକାର ବ୍ରାଡ କଲେଜ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ପତ୍ରିକା ଭାନିଟି ଫେୟାର ତାଙ୍କୁ ବିଶ୍ୱର ଶ୍ରେଷ୍ଠ ପରିଚ୍ଛଦ ପରିଧାନ କରୁଥିବା ବ୍ୟକ୍ତଙ୍କ ସୂଚୀରେ ସ୍ଥାନୀତ କରିଥିଲା।  ଅନ୍ତର୍ଜାତୀୟ ପରିସରରେ ଜଣେ ଦକ୍ଷ ସଂପାଦକ ଭାବେ ଜଣାଶୁଣା ମେହେଟା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଓ ଇତିହାସରେ ଡିଗ୍ରି ହାସଲ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି‘ ମୁଁ ମୋର ଭିଣୋଇ ( ଭଉଣୀ ଗୀତା ମେହେଟାଙ୍କ ସ୍ୱାମୀ) ସୋନି ମେହେଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ମେହେଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତାରେ ଲେଖିଛନ୍ତି।