ଇଣ୍ଡିଆ ବୁକ୍‍ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲା କ୍ଷୁଦ୍ର ରଥ

ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଆଉ ଏକ କାରୁକାର୍ୟ୍ୟ ଇଣ୍ଡିଆ ବୁକ୍‍ ଅଫ ରେକର୍ଡସରେ ସ୍ଥାନ ପାଇଛି। ତାଙ୍କ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ତାଙ୍କୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି। ଚଳିତବର୍ଷ ରଥଯାତ୍ରା ଅବସରରେ ସତ୍ୟ ନିର୍ମାଣ କରିଥିଲେ ବିଶ୍ୱର ସବୁଠାରୁ ଛୋଟ ନନ୍ଦିଘୋଷ ରଥ। ଯାହାର ଉଚ୍ଚତା ଥିଲା ୧.୪ ଇଞ୍ଚ ଏବଂ ଓସାର ଥିଲା ୧.୩ ଇଞ୍ଚ। ଏହିରଥରେ ୧୬ଟି ଚକ ଲାଗିଥିଲା। ରଥରେ ବିରାଜମାନ ପ୍ରଭୁ ଜଗନ୍ନାଥଙ୍କ ଉଚ୍ଚତା ଥିଲା ୬ ମିଲିମିଟର। ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଯେପରି ଦୁଇଟି ଓଲଟା ଶୁଆ, ଦଧିନଉତି, ରଙ୍ଗବେରଙ୍ଗର କପଡ଼ା ଖଞ୍ଜା ହୋଇଥାଏ ଏହି କୁନି ରଥରେ ମଧ୍ୟ ସେମିତି ସମସ୍ତ ପ୍ରକାରର ଜିନିଷ ଖଞ୍ଜିଥିଲେ ଶିଳ୍ପୀ ସତ୍ୟ।

ରଥଟିକୁ ନିର୍ମାଣ କରିବାକୁ ସତ୍ୟଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା। ଛୋଟ ଛୋଟ ଅଦରକାରୀ କାଠରେ ସୁକ୍ଷ୍ମ କାରୁକାର୍ୟ୍ୟ କରି ସତ୍ୟ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ହାତର ଗୋଟିଏ ଆଙ୍ଗୁଠିରେ ଛିଡା ହୋଇପାରୁଥିବା ରଥଟି ରାସ୍ତାରେ ମଧ୍ୟ ଗଡିପାରୁ ଥିଲା। ପୂର୍ବରୁ ସତ୍ୟ ୨.୫ ଇଞ୍ଚ ଉଚ୍ଚତା ଓ ୨ ଇଞ୍ଚ ଓସାରର କୁନି ରଥ ନିର୍ମାଣ କରିସାରିଥିବା ବେଳେ ୧.୪ ଇଞ୍ଚର ରଥ ନିର୍ମାଣ କରି ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ। ରଥର କାରୁକାର୍ୟ୍ୟକୁ ନେଇ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଆବେଦନ କରିଥିଲେ। ଆଜି ରଥଟି ୨୦୨୦ ପାଇଁ ରେକର୍ଡ ସ୍ଥାପନ କରିଛି ବୋଲି ଇଣ୍ଡିଆ ବୁକ୍‍ ଅଫ ରେକର୍ଡସ ପକ୍ଷରୁ ସତ୍ୟଙ୍କୁ ଇ-ମେଲ ମାଧ୍ୟମରେ ଅବଗତ କରାଯାଇଛି। କିଛି ଦିନ ପରେ ସତ୍ୟଙ୍କ ନିକଟକୁ ମାନପତ୍ର ଓ ସିଲ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି।