ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସଂସଦରେ ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦିଲ୍ଲୀ ହିଂସାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।

କଂଗ୍ରେସ ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାରେ କାର୍ଯ୍ୟ ସ୍ଥଗିତ ପ୍ରସ୍ତାବ ନୋଟିସ ଆଗତ କରି ଦିଲ୍ଲୀର ସାମ୍ପ୍ରଦାୟିକ ହିଂସାକୁ ମୁଦ୍ଦା କରିବ ବୋଲି କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ।

ତୃଣମୂଳ କଂଗ୍ରେସ ଓ ବିଭିନ୍ନ ବାମପନ୍ଥୀଦଳ ରାଜ୍ୟସଭା ଓ ଲୋକସଭାରେ ଏହି ମୁଦ୍ଦା ଉଠାଇବେ । CPI(M)ର ରାଜ୍ୟସଭା ସଦସ୍ୟା କେ କେ ରାଗେଶ ଓ ଟି କେ ରଙ୍ଗରାଜନ ଉପର ସଦନରେ କାର୍ଯ୍ୟ ସ୍ଥଗିତ କରିବେ । ଏହାସହ ଦିଲ୍ଲୀର ହିଂସା ଉପରେ ଦିନସାରା ଚର୍ଚ୍ଚା କରିବାର ଦାବି କରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଦ୍ବାରା ପରିଚାଳିତ ପ୍ରତିନିଧିମଣ୍ଡଳ ଗୁରୁବାର କେନ୍ଦ୍ର ସରକାରଙ୍କୁ ରାଜଧର୍ମ ମନେ ପକାଇଥିଲେ । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ ।

ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ଆଇନକୁ ନେଇ ଉତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ହୋଇଥିଲା । ସେଥିରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୨୦୦ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନେକ ଧନସମ୍ପତି ମଧ୍ୟ ନଷ୍ଟ ହୋଇଛି । ସେହିପରି ଏହି ହିଂସା ପାଇଁ କଂଗ୍ରେସ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ଗୃହମନ୍ତ୍ରୀ ଅମିତ୍ ଶାହଙ୍କର ଇସ୍ତଫା ଦାବି କରିଛି ।