ଧାମରା ବନ୍ଦର ପରିସରରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ପରିସରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଧାମରା ବନ୍ଦର ପରିସରରେ ଥିବା ଏଲଏନଜି ପାଇପ୍ ଲାଇନ୍ କାମ ଚାଲିଥିବା ଟର୍ମିନାଲରେ ନିଆଁ ଲାଗିଥିଲା। ସେଠାରେ କଂକ୍ରିଟ୍ କାମ ଚାଲିଥିବା ହେତୁ କେତେକ ସେଂଟରିଂ ସାମଗ୍ରୀ ରଖାଯାଇଥିଲା। କୌଣସି କାରଣରୁ ସେଗୁଡ଼ିକରେ ନିଆଁ ଲାଗିବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଥିବାର ଖବର ମିଳିଛି।
ନିଆଁ ଲାଗିବାର ଦେଖି ସେଠାରେ ମୁତୟନ ଥିବା ନିରାପତା ରକ୍ଷୀମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ଖବର ପାଇ ଧାମରା ବନ୍ଦର ଅଗ୍ନିଶମ ବାହିନୀ ଓ ଚାନ୍ଦବାଲିର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଗ୍ୟାସ୍ ଲିକ୍ ହେବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କର୍ମଚାରୀଙ୍କ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

ଘଟଣା ସଂପର୍କରେ ଆଦାନି ଗ୍ରୁପର ଲୋକସଂପର୍କ ଅଧିକାରୀ ଶୁଭାଶିଷ ମିଶ୍ର କହିଛନ୍ତି ଯେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ତେବେ ଏବିଷୟରେ ତଦନ୍ତ ଆରମ୍ଭ ହୋଇଛି। ଏଥିରେ କୌଣସି କର୍ମଚାରୀଙ୍କ କ୍ଷୟକ୍ଷତି ହୋଇ ନଥିବା ସେ ପ୍ରକାଶ କରିଛନ୍ତି।