ଆମେ ପ୍ରତିଦିନ ବିଜେପି ସହ ଲଢ଼ିବା: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଥିଲେ ହେଁ ସଂସଦରେ ବିଜେପି ସହ ଲଢ଼େଇ ଜାରି ରଖିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର କଂଗ୍ରେସ ସଂସଦୀୟ ଦଳ ବୈଠକରେ ଯୋଗଦେବା ଅବସରରେ ଦଳୀୟ ସାଂସଦମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।

ରାହୁଲ ସାଂସଦମାନଙ୍କୁ କହିଥିଲେ ଯେ, ଲୋକସଭାରେ ଆମେ ପ୍ରତିଦିନ ବିଜେପି ସହ ଲଢ଼େଇ କରିବା। ଗତ ନିର୍ବାଚନରେ କଂଗ୍ରେସର ୪୪ ସାଂସଦ ଲୋକସଭାରେ ଥିଲେ ଏବଂ ଆମେ ବିଜେପିକୁ କଡ଼ା ଜବାବ ଦେଇଥିଲୁ। ବର୍ତ୍ତମାନ ଆମ ସଂଖ୍ୟା ୫୨ ହୋଇଛି ଏବଂ ଆମେ ବିଜେପି ସହ ଲଢ଼େଇ ପ୍ରତିଦିନ ଜାରି ରଖିବା। ଦଳରେ ଆମେ ଆତ୍ମସମୀକ୍ଷା କରିବା। ଦଳର ପୁନରୁଦ୍ଧାର ପାଇଁ ଆମେ ଚେଷ୍ଟା କରିବା ଏବଂ ଏହା କରିପାରିବା। ଏଥିସହ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାରୁ ରାହୁଲ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ, ଲୋକସଭାରେ ବିରୋଧୀ ଦଳ ମାନ୍ୟତା ପାଇବା ଲାଗି ଗୋଟିଏ ଦଳର ସର୍ବନିମ୍ନ ୫୫ ସାଂସଦ ରହିବା ଦରକାର। କିନ୍ତୁ କଂଗ୍ରେସ ଗତ ଥର ୪୪ ଆସନ ପାଇଥିବାବେଳେ ଏଥର ୫୨ ଆସନରେ ବିଜୟୀ ହୋଇଛି।