ଆକାଶ ମାର୍ଗରୁ ପଶ୍ଚିମ ଓଡିଶା ବନ୍ୟା ସ୍ଥିତି ଅନୁଧ୍ୟାନ କେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବନ୍ୟା ସ୍ଥିତି ଆକଳନକରି ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ କଲେ ସମୀକ୍ଷା

ଭୁବନେଶ୍ୱର/ବଲାଙ୍ଗୀର  :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆକାଶ ମାର୍ଗରୁ ପଶ୍ଚିମ ଓଡିଶାର ବନ୍ୟା ପ୍ରଭାବିତ ଅଂଚଳ ଯଥା ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଏବଂ ବୌଦ୍ଧ ଅଂଚଳ ପରିଦର୍ଶନ କରିବା ସହ ବିପନ୍ନଙ୍କ ଖାଦ୍ୟ, ରହଣୀ ବ୍ୟବସ୍ଥା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି ।

ବଲାଙ୍ଗୀର ସାଂସଦ ଶ୍ରମତୀ ସଙ୍ଗୀତା ସିଂଦେଓ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଏବଂ ସୋନପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଗତ ୫୦ ବର୍ଷରେ ଏପ୍ରକାର ବର୍ଷା ଲୋକମାନେ ଦେଖିନଥିବା ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ.ରାମପୁର, କାର୍ଲାମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ସହର, ଦେଓଗାଁ, ସୋନପୁରର ତରଭା ବ୍ଲକ ଏବଂ ତରଭା ପୌରପରିଷଦ ଓ ବୌଦ୍ଧ ଜିଲ୍ଲାର କଂଟାମାଳ ଅଂଚଳ ପରିଦର୍ଶନ କରିବା ସହ ବନ୍ୟା ପ୍ରପୀଡିତ ଲେକଙ୍କ ସମସ୍ୟା ବିଷୟରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ.ରାମପୁର, କାର୍ଲାମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ସହର, ଦେଓଗାଁ, ସୋନପୁର ଜିଲ୍ଲାର ତରଭା ବ୍ଲକ ଏବଂ ତରଭା ପୌରପରିଷଦ ଓ ବୌଦ୍ଧ ଜିଲ୍ଲାର କଂଟାମାଳ ଅଂଚଳ ପରିଦର୍ଶନ କଲେ

 ବିପନ୍ନଙ୍କ ଖାଦ୍ୟ, ରହଣୀ ବ୍ୟବସ୍ଥା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ସହ କଲେ ଆଲୋଚନା

 ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏନଡିଆରଏଫ୍ ଓ ଏସଡିଆରଏଫ୍ ପାଣ୍ଠିର ବିତୀୟ ବ୍ୟବସ୍ଥାରୁ ସହଯୋଗ ଯୋଗାଇଦେବେ

 ପ୍ରଧାନମବୀ ଆବାସ ଯୋଜନାରେ ବାସହରା ଲୋକଙ୍କ ପାଇଁ କିଭଳି ଘର ଆସିପାରିବ ରାଜ୍ୟ ସରକାର ଏହାର ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦେଲେ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସହଯୋଗର ଦାୟିତ୍ୱ ନେବେ

 ବନ୍ୟା ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ଛୋଟ ବ୍ୟବସାୟୀ ତଥା ଉଠା ଦୋକାନୀଙ୍କୁ ମୁଦ୍ରା ଯୋଜନାରେ ଯୋଡି ସେମାନଙ୍କ ରୋଜଗାର ଓ ସ୍ୱରୋଜଗାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ

 ଓଡିଶାର ସିପାହୀ ଭାବେ ଦିଲ୍ଲୀ ସରକାରଙ୍କ ନିକଟରେ ଏ ବିଷୟ ଉପସ୍ଥାପନ କରି ଓଡିଶାର ଅପେକ୍ଷାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ

ସ୍ଥାନୀୟ ପ୍ରଶାସନ ଉକ୍ତ ଅଂଚଳର ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ନେଇ ବିପନ୍ନଙ୍କ ପାଇଁ ଭଲ ବ୍ୟବସ୍ଥା କରିଛି । ଜିଲ୍ଲା ପ୍ରଶାସନ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଥିବା ବେଳେ ଏହାର ତାଲିକା ରାଜ୍ୟ ସରକାରଙ୍କୁ ପଠାଇବ । ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏନଡିଆରଏଫ୍ ଓ ଏସଡିଆରଏଫ୍ ପାଣ୍ଠିର ବିତୀୟ ବ୍ୟବସ୍ଥାରୁ ସହଯୋଗ ଯୋଗାଇଦେବେ । ସେହିଭଳି ପ୍ରଧାନମବୀ ଆବାସ ଯୋଜନାରେ ବାସହରା ଲୋକଙ୍କ ପାଇଁ କିଭଳି ଘର ଆସିପାରିବ ରାଜ୍ୟ ସରକାର ଏହାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଲେ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସହଯୋଗର ଦାୟିତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବନ୍ୟା ପ୍ରଭାବରେ ବିଶେଷ ଭାବରେ ଛୋଟ ବ୍ୟବସାୟୀ ତଥା ଉଠା ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏମାନଙ୍କୁ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ଯୋଡି ସେମାନଙ୍କ ରୋଜଗାର ଓ ସ୍ୱରୋଜଗାର ବ୍ୟବସ୍ଥା କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ବିନା ବଲାଙ୍ଗୀରରେ ଓଡିଶା ଆଗକୁ ଯିବା ଅସମ୍ଭବ । ଏଭଳି ବିପତି ଘଡିରେ ସେ ଓଡିଶାର ସିପାହୀ ତଥା ପ୍ରତିନିଧି ଭାବେ ଦିଲ୍ଲୀ ସରକାରଙ୍କ ନିକଟରେ ଏ ବିଷୟ ଉପସ୍ଥାପନ କରି ଓଡିଶାର ଅପେକ୍ଷାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।