ଭୁବନେଶ୍ୱର : ଆଗୁଆ ସାଧାରଣ ନିର୍ବାଚନ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୨୦୧୮ ନୁହେଁ ୨୦୧୯ରେ ହିଁ ହେବ ସାଧାରଣ ନିର୍ବାଚନ । ଏ ନେଇ ଆଜି ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଭୋଟର ତାଲିକାରେ ନାଁ ସାମିଲ ଓ ବାଦ ଦେବା କିମ୍ବା ସଂଶୋଧନ କରିବା ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁରେନ୍ଦ୍ର କୁମାର କହିଥିଲେ ଯେ ଆସନ୍ତା ୨୦୧୯ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ତାଲିକା ପ୍ରକାଶ ପରେ ନିର୍ବାଚନ ଦିନ ଧାର୍ଯ୍ୟ ହେବ । ତେବେ ଭୋଟର ତାଲିକା କିଭଳି ତ୍ରୁଟିଶୂନ୍ୟ ହେବ ଏବଂ କୌଣସି ଭୋଟର ଯେଭଳି ବାଦ୍ ନ ପଡ଼ିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । ତେବେ ଯେଉଁମାନଙ୍କ ବୟସ ୨୦୧୯ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିପାରିବେ । ଯେହେତୁ ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଧାର୍ଯ୍ୟ ରଖାଯାଇଛି, ସେ ଦୃଷ୍ଟିରୁ ୨୦୧୮ରେ ସାଧାରଣ ନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସୁରେନ୍ଦ୍ର କୁମାର ସ୍ପଷ୍ଟ କରିଛନ୍ତି । ପ୍ରଥମଥର ପାଇଁ ରାଜ୍ୟରେ ଭୋଟ ଗ୍ରହଣ ବେଳେ ଭିଭିପ୍ୟାଟ୍ ମେସିନ୍ ବ୍ୟବହାର ହେବ । ଏହା ଭାରତ ନିର୍ବାଚନ ଆୟୋଗ ସ୍ଥିର କରିଛନ୍ତି । ଭୋଟରଙ୍କ ବିଶ୍ୱାସ ବୃଦ୍ଧି ପାଇଁ ରାଜ୍ୟର ସବୁ ବୁଥ୍ରେ ଭିଭିପ୍ୟାଟ୍ ବ୍ୟବହାର କରାଯିବ, ଫଳରେ ଜଣେ ଭୋଟର କାହାକୁ ଭୋଟ୍ ଦେଇଛନ୍ତି ତାହା ସେ ନିଜେ ଜାଣିପାରିବେ । ତେବେ ଏହି ଭିଭିପ୍ୟାଟ୍ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କାର୍ଯ୍ୟକ୍ରମ କରାଯିବା ଉପରେ ସୁରେନ୍ଦ୍ର କୁମାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଗତ ଭୋଟର ତାଲିକା ସଂଶୋଧନ ବେଳେ ୩ କୋଟି ୧୨ ଲକ୍ଷ ୫୭ ହଜାର ୮୦୩ ଜଣ ମତଦାତା ଥିଲେ । ମତଦାନ କେନ୍ଦ୍ର ସଂଖ୍ୟା ୩୫ ହଜାର ୮୯୬ ଥିଲା । ମତଦାନ କେନ୍ଦ୍ର ସମୀକରଣ ମାଧ୍ୟମରେ ମତଦାତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଉ ୧୮ ଶହରୁ ୨ ହଜାରଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ନିର୍ବାଚନରେ ଗଣମାଧ୍ୟମ ଚାହିଁଲେ ଭୋଟ ଗଣତିର ସିଧାସଳଖ ପ୍ରସାରଣ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଭୋଟର ତାଲିକାରେ ଯୁବଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯେହେତୁ ଭାରତ ନିର୍ବାଚନ ଆୟୋଗ ଚଳିତବର୍ଷକୁ ‘ସୁଗମ ମତଦାନ ବର୍ଷ’ ରୂପେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମକୁ ମୁଖ୍ୟତଃ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନାମ ଭୋଟର ତାଲିକାରେ ଯୋଗ କରାଯିବା ତଥା ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଳିଷ୍ଟ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଏଥିପାଇଁ ମତଦାନ କେନ୍ଦ୍ରରେ ହୁଇଲ୍ ଚେୟାର, ଏନ୍ଏସ୍ଏସ୍, ସ୍କାଉଟ୍ସ ଗାଇଡ୍ସ ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇ ଶୃଙ୍ଖଳିତ ଭାବରେ ମତଦାନ ସମ୍ପନ୍ନ କରାଯିବ ।