ଉତ୍ତର ମିଆଁମାର୍‌ର ଖଣି ଅଞ୍ଚଳରେ ଭୂସ୍ଖଳନ:୩ ମୃତଦେହ ଉଦ୍ଧାର,୫୦ରୁ ଅଧିକ ମୃତ୍ୟୁବରଣ କରିଥିବା ସନ୍ଦେହ

ମିଆଁମାର: ଉତ୍ତର ମିଆଁମାର୍‌ର କଚିନ ପ୍ରଦେଶରେ ଥିବା ଏକ ଖଣି ଅଞ୍ଚଳରେ ଭୂସ୍ଖଳନ ଘଟିଥିବା ପୁଲିସ୍‌ ସୂଚନା ଦେଇଛି। ଘଟିଥିବା ଏହି ଭୂସ୍ଖଳନରେ ପ୍ରାୟ ୫୦ରୁ ଅଧିକ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ସ୍ଥାନୀୟ ସମୟ ଅନୁସାରେ ରାତି ୧୧.୩୦ ସମୟରେ ଏହି ଭୂସ୍ଖଳନ ଘଟିଛି ବୋଲି ଖବର ମିଳିଛି।

ସ୍ଥାନୀୟ ପୁଲିସ ସୂଚନା ଦେଇ କହିଛି ଯେ ଏହି ଭୂସ୍ଖଳନରେ ପ୍ରାୟ ୫୦ ଜଣ ମାଟି ତଳେ ଚାପି ହୋଇ ରହି ଯାଇଥିବା ସନ୍ଦେହ କରାଯାଉଛି। ଖଣି ଅଞ୍ଚଳର ଲୋକ ଶୋଇଥିବା ଅବସ୍ଥାରେ ଏହି ଭୂସ୍ଖଳନ ହୋଇଥିବା ଜାଣିବାକୁ ମିଳିଛି। ଏହି ଖଣି ଅଞ୍ଚଳରେ ଦୁଇଟି କମ୍ପାନିର କର୍ମଚାରୀ କାମ କରୁଥିଲେ। ମାଟି ତଳୁ ଏବେ ସୁଦ୍ଧା ୩ଟି ମୃତଦେହ ଉଦ୍ଧାର ହୋଇଛି। ଚଳିତବର୍ଷ ପୂର୍ବରୁ ମଧ୍ୟ ଥରେ ହୋଇଥିବା ଭୂସ୍ଖଳରେ ୨୦ ଜଣଙ୍କ ଜୀବନ ଯାଇଥିଲା।