ହୋଲିରେ ଅଘଟଣ, ନଦୀରେ ବୁଡି ୩ ମୃତ

କଟକ: ହୋଲିରେ ଅଘଟଣ। କଟକର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ନଦୀରେ ବୁଡି ୩ ମୃତ । ୪୨ ମୌଜାସ୍ଥିତ କାଠଯୋଡି ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ନରାଜସ୍ଥିତ ମହାନଦୀରେ ବୁଡି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି । ହୋଲି ଖେଳି ନଦୀରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣା ପଡିଛି।

ତେବେ ମୃତ ୨ ନାବାଳକ ହେଉଛନ୍ତି ଶୁଭମ କୁମାର ଓ ନିଶାନ୍ତ ପାଢୀ। ଉଭୟେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ୮ମ ଶ୍ରେଣୀର ଛାତ୍ର। ସେମାନଙ୍କୁ ନଦୀରୁ ଉଦ୍ଧାର କରାଯିବା ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ମେଡିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ନରାଜରେ ବୁଡି ଆଖି ବୁଜିଥିବା କଲେଜ ଛାତ୍ର ଜଣଙ୍କ ହେଉଛନ୍ତି ଶାଶ୍ବତ ସାହୁ । ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ଛାତ୍ର ଥିଲେ । ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ । ହେଲେ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ବିଭାଗର ଖୋଜାଖୋଜି ପରେ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ।