ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର୍ ଟିଟୋର ବ୍ୟାବସାୟିକ ସାମ୍ରାଜ୍ୟର ଖୋଳତାଡ଼ । କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଫିସ୍, ଡେରାବିଶ ଓ ଗରଦପୁର ତହସିଲ୍, କେନ୍ଦ୍ରାପଡ଼ା ମୁନିସିପାଲିଟି, ଯୋଗାଣ ବିଭାଗ ଏବଂ ଚଣ୍ଡିଖୋଲ ଆରଟିଓରେ ଚଢ଼ାଉ କରିଛି ଭିଜିଲାନ୍ସ । ସେପଟେ ଟିଟୋ ଲିଙ୍କରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ରକମ ଛନକା ପଶିଯାଇଛି ।
ଗ୍ୟାଙ୍ଗଷ୍ଟର୍ ଟିଟୋ । କେବଳ ଜଣେ ଅପରାଧୀ ନୁହେଁ, ଜଣେ ସଫଳ ବ୍ୟବସାୟୀ ମଧ୍ୟ । ବାଲିଖାଦାନ, ମୋରମ, ପେଟ୍ରୋଲ୍ ପମ୍ପ, ଟ୍ରାନ୍ସପୋର୍ଟ, ଗ୍ୟାରମେଣ୍ଟସ୍, ମୋବାଇଲ୍ ଫୋନ୍ ଏବଂ ଆସେସରିଜ୍ ଠାରୁ ଆରମ୍ଭ କରି ଟେଣ୍ଡର୍ ଫିକ୍ସିଂ ଏବଂ ରିଅଲ୍ ଇଷ୍ଟେଟ୍ ସବୁ ବ୍ୟବସାୟ ଚଳାଇଥିଲା ସୟଦ୍ ଉସମାନ୍ ଅଲ୍ଲୀ ଓରଫ ଟିଟୋ । ତେବେ ଏତେ ସବୁ ବେପାର ସେ କଲା କେମିତି ? କିଏ ତାକୁ ସହଯୋଗ କରିଥିଲା ? ଏସବୁ ପଛରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ହାତ ନାହିଁ କି ? ଟିଟୋ ଏବେ ଜେଲର ସେଲ୍ ଭିତରେ ଥିବା ବେଳେ କ୍ରାଇମବ୍ରାଞ୍ଚ ଅନୁମୋଦନରେ ଭିଜିଲାନ୍ସ କରୁଛି ଖୋଳତାଡ଼ । କେଉଁ କେଉଁ ସରକାରୀ ଅଧିକାରୀ ଓ କର୍ମଚାରୀ ଟିଟୋ ଲିଙ୍କରେ ଥିଲେ ସେସବୁର ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ ।
କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଦ୍ଧ।ଧିକ ବାଲିଖାଦାନ ରହିଛି ଟିଟୋ ଏବଂ ତାର ସମ୍ପର୍କୀୟଙ୍କ ନାମରେ। ସ୍ତ୍ରୀ ବେନଜିର୍ ବିବିଙ୍କ ନାଁରେ ସେ ନେଇଛି ପଟ୍ରୋଲ୍ ପମ୍ପ୍। ଯେଉଁଥି ପାଇଁ ନିଜସ୍ବ ଜମି ବାଦ୍ ଆବଶ୍ୟକ ୫ ଡିସିମିଲ୍ ସରକାରୀ ଜମି କେନ୍ଦ୍ରାପଡ଼ା ମୁନିସିପାଲିଟି ଯୋଗାଇ ଦେଇଛି । ଖାଲି ସେତିକି ନୁହେଁ, ବାଇକ୍ ସୋ ରୁମ୍ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ାରେ ଟିଟୋର ରହିଛି ଏକାଧିକ ଗାରମେଣ୍ଟସ୍ ଦୋକାନ । ସେହିପରି ବିଭିନ୍ନ କମ୍ପାନୀର ମୋବାଇଲ୍ ସୋ ରୁମ୍ ଏବଂ ମୋବାଇଲ୍ ଆସେସରିଜ୍ ଦୋକାନର ମାଲିକ ହେଉଛନ୍ତି ଟିଟୋର ପରିବାର ଲୋକେ । ତେବେ ଡନ୍ର ସବୁଠାରୁ ବଡ଼ ବେପାର ଥିଲା ଟ୍ରାନ୍ସପୋର୍ଟ । ଯେଉଁଥିରେ ରହିଛି ଶତାଧିକ ହାଇୱା ଟ୍ରକ୍ । ପରିବାର ଲୋକଙ୍କ ନାଁରେ ବିଭିନ୍ନ ସ୍ଥାନରେ ପ୍ଲଟ୍ ପକାଇଛି ସେ । ଏହା ଭିତରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ ମଧ୍ୟ ସେ ପାଦ ଥାପି ସାରିଥିଲା । ଲୋକଙ୍କଠାରୁ ଜୋର ଜବରଦସ୍ତ ନିଜ ଇଚ୍ଛା ମୁତାବକ ଦରରେ ଜମି ହାତେଇଛି ଗ୍ୟାଙ୍ଗଷ୍ଟର ଟିଟୋ । ତବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କେନ୍ଦ୍ରାପଡ଼ାରେ ଟିଟୋ ଖୋଲିବାକୁ ଯାଉଥିଲା ରାଜ୍ୟର ସର୍ବବୃହତ୍ ସୁନା ଗହଣା ଦୋକାନ । ସୁନା ବ୍ୟବସାୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିଲା ସେ ।
ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅବାଧ ଏବଂ ଅବୈଧ ସହଯୋଗରେ ଟିଟୋ ଛିଡ଼ା କରିଛି ଏତେ ବଡ଼ ବଡ଼ ବ୍ୟାବସାୟିକ ସାମ୍ରାଜ୍ୟ । ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ବାଲିଘାଟ ନିଲାମ ସବୁଥିରେ ତାକୁ ସହଯୋଗ କରୁଥିଲେ ବାବୁ । ତବେ ଏଠି ପ୍ରଶ୍ନ ଉଠୁଛି, ଗ୍ୟାଙ୍ଗଷ୍ଟରକୁ ସହଯୋଗ ବଦଳରେ କି ପ୍ରକାର ଫାଇଦା ନେଉଥିଲେ ଜିଲ୍ଲାର ସରକାରୀ ଅଧିକାରୀ ଓ କର୍ମଚାରୀ ? କତେ ଟଙ୍କା ଦେଇ ଟିଟୋ କିଣୁଥିଲା ସରକାରୀ ବାବୁମାନଙ୍କ ମୁଣ୍ଡ ଓ ତୁଣ୍ଡ ? ଯାହାର ଏବେ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଫିସ୍, ଡେରାବିଶ ଓ ଗରଦପୁର ତହସିଲ୍, କେନ୍ଦ୍ରାପଡ଼ା ମୁନିସିପାଲିଟି, ଯୋଗାଣ ବିଭାଗ ଏବଂ ଚଣ୍ଡିଖୋଲ ଆରଟିଓରେ ଚଢ଼ାଉ କରିଛି ଭିଜିଲାନ୍ସ । ସେପଟେ ଭିଜଲାନ୍ସ ନା ଶୁଣି ଡନକୁ ସହଯୋଗ କରିଥିବା ସରକାରୀ ଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି ।