କୋରୋନା ପାଇଁ ହିତାଧିକାରୀଙ୍କୁ ମିଳିବ ୩ ମାସର ଚାଉଳ, ଗହମ ଓ କିରୋସିନି

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ହିତାଧିକାରୀଙ୍କୁ ୩ ମାସର ଚାଉଳ, ଗହମ ଓ କିରୋସିନି ଦେବା ପାଇଁ ନିଷ୍ପତି ନିଆଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତାଲିକାଭୁକ୍ତ ୩.୨୬ କୋଟି ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ୪.୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ତିନି ମାସ ପାଇଁ ଆଗୁଆ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ୨୦୨୦ ମସିହା ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ, ଗହମ ଓ କିରୋସିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଆଜି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି ।

ଆଗାମୀ ଏପ୍ରିଲ ପହିଲାରୁ ମେ ମାସ ୧୫ ତାରିଖ ମଧ୍ୟରେ ଆଗୁଆ ପିଡ଼ିଏସ ସାମଗ୍ରୀ ଯୋଗାଇ ଦିଆଯିବ । ସେହିପରି କୋରୋନା ଭାଇରସର ବ୍ୟାପ୍ତିକୁ ରୋକିବା ନିମନ୍ତେ ସୁଲଭ ମୂଲ୍ୟ ଦୋକାନଗୁଡିକରେ ଜନଗହଳି ବିନା ହିତାଧିକାରୀମାନେ ଯେପରି ରେସନ ସାମଗ୍ରୀ ଓ କିରୋସିନି ତେଲେ ଉଠାଣ କରିପାରିବେ ସେଥିପାଇଁ ୪୫ ଦିନର ସମୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ସାଧାରଣ ବଂଟନ ବ୍ୟବସ୍ଥାରେ ଇ-ପସ ମେସିନ ଜରିଆରେ ରେସନ ସାମଗ୍ରୀ ବଂଟନ ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ ଅଥବା ଆଖିଡୋଳା ତନଖିର ଆବଶ୍ୟକତାକୁ ବାଦ ଦିଆଯାଇଛି । ଆସନ୍ତା ଏପ୍ରିଲ ପହିଲାରୁ ବଂଟନ ପ୍ରକ୍ରିୟା ସାବଲୀଳ ଭାବରେ ଆରମ୍ଭ କରାଯିବା ନିମନ୍ତେ ଏକ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।