ଚେନ୍ନାଇରୁ ଫେରନ୍ତା ୨ ଶ୍ରମିକଙ୍କୁ ସ୍କଲରେ ରଖି କରାଯାଉଛି ଚିକିତ୍ସା

ବେତନଟୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଚେନ୍ନାଇରୁ ଫେରିଥିବା ୨ ଶ୍ରମିକଙ୍କୁ ଏକ ସ୍କୁଲରେ ରଖାଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକ୍ତରୀ ସହାୟତା ପ୍ରଦାନ କରାଯାଉଥିବା ଖବର ମିଳିଛି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନସ୍ଥ ସୁରେଇଡିହି ପଂଚାୟତ ର ଚାକୁଣ୍ଡାପଦା ଗ୍ରାମର ଦୁଇ ଶ୍ରମିକ ଚେନ୍ନାଇରୁ ଫେରିଛନ୍ତି। ଚେନ୍ନାଇର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଦୁଇଜଣଙ୍କ ସହିତ ରହୁଥିବା ଜଣେ କେରଳୀ ଡ୍ରାଇଭର କରୋନାରେ ଆକ୍ରାନ୍ତ ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପ୍ରଶାସନ ଚିକିତ୍ସା ପାଇଁ ଭର୍ତି କରିବା ପରେ କମ୍ପାନି କର୍ତୃପକ୍ଷ ଏହି ଦୁଇ ଯୁବକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇ ଟ୍ରେନରେ ବସାଇ ଦେଇଥିଲେ। ଉଭୟଙ୍କୁ ଏବେ ଜ୍ୱର ରହିଛି।

ଉଭୟ ବାଲେଶ୍ୱର ଷ୍ଟେସନରୁ ଓହ୍ଲାଇ ଗ୍ରାମରେ ପହଂଚିଛନ୍ତି । ଖବର ପାଇ ସୁରେଇଡିହିର ସରପଂଚ ଲକ୍ଷ୍ମଣ ମୁର୍ମୁ, ପିଇଓ ଅନୀଲ ମହାନ୍ତି ଓ ସମାଜସେବୀ ସୁକୁଲ ମୁର୍ମୁ ପ୍ରମୁଖ ଏହି ଦୁଇ ଯୁବକଙ୍କୁ ସ୍ଥାନୀୟ ସ୍କୁଲରେ ରଖିବାର ବ୍ୟବସ୍ଥା କରିଛନ୍ତି। ଏହାପରେ ମୋରଡ଼ା ବିଡିଓ ପ୍ରିୟବ୍ରତ ପାଢୀ, ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଡାକ୍ତରୀ ସହାୟତାର ବନ୍ଦୋବସ୍ତ କରିଥିବାର ସୂଚନା ମିଳିଛି।