ନିର୍ଭୟା ୪ଦୋଷୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ କରାଗଲା ହସ୍ତାନ୍ତର

ନୂଆଦିଲ୍ଲୀ: ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କ ୪ ଦୋଷୀଙ୍କୁ ଆଜି ଭୋରରୁ ଫାଶୀ ଦିଆଯାଇଛି ।ଫାଶୀ ପରେ ୪ ନିର୍ଭୟା ଦୋଷୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ବିଏନ୍‌ ମିଶ୍ରାଙ୍କ ନେତୃତ୍ୱରେ ପାଂଚଜଣ ଡାକ୍ତର ନିୟମ ଅନୁସାରେ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରିଥିଲେ। ଯାହାର ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡ ବି କରାଯାଇଥିଲା। ଦ୍ୱିପହର ସମୟରେ ଚାରିଜଣ ଦୋଷୀଙ୍କ ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି।

ତେବେ ଫାଶୀରୁ ବଂଚିବା ପାଇଁ ଆଇନର ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଥିଲେ ବି ୪ ଦୋଷୀ ହାର ମାନି ନଥିଲେ। ଶେଷ ମୁହୂର୍ତ୍ତରେ ବି ଏଥିରୁ ବଂଚିଯିବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ୪ ଦୋଷୀଙ୍କ ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। ଯାହାପରେ ଦୋଷୀଙ୍କ ଫାଶୀ ସ୍ପଷ୍ଟ ହୋଇଯାଇଥିଲା।