ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର୍ ଗ୍ୟାସ୍ ପାଇପ୍ଲାଇନ୍ ବିଛାଯିବ । ଏଥିପାଇଁ ୪୫୦୦ କୋଟି ଟଙ୍କା ବିନିଯୋଗ ହେବ । ଭୁବନେଶ୍ୱରରେ ଉନବିଂଶ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଲେ ଯେ ଓଡ଼ିଶା ସମେତ ପୂର୍ବ ଭାରତ ରାଜ୍ୟମାନଙ୍କ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ କରିବାକୁ ହେବ । ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦରଭିତ୍ତିକ ଶିଳ୍ପ ଓ କଳକାରଖାନା ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ଆବଶ୍ୟକ ଭିତ୍ତିଭୂମି ପାଇଁ ଅଗ୍ରାଧିକାର ଦେଇଛନ୍ତି । ପାରାଦୀପ ତୈଳ ବିଶୋଧନାଗାର କ୍ଷମତା ବୃଦ୍ଧି କରାଯିବ ।
ଚଳିତ ଡିସେମ୍ବରରୁ ପାରାଦୀପ ରିଫାଇନାରୀରୁ ପଲିପ୍ରୋପିଲିନ ଉତ୍ପାଦନ ଆରମ୍ଭ ହେବ । କେନ୍ଦ୍ର ସରକାର ଏବେ ଗ୍ୟାସ୍ଭିତ୍ତିକ ଅର୍ଥବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଏଥିଲାଗି ଗ୍ୟାସ୍ ପାଇପ୍ ଲାଇନ୍ ନେଟୱର୍କର ବିସ୍ତାର ପାଇଁ ବ୍ୟାପକ ଯୋଜନା ହୋଇଛି । ଦେଶର ବିଭିନ୍ନ ସ୍ଥାନକୁ ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପଲାଇନ ବିଛାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ୭୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର ଗ୍ୟାସ୍ ଲାଇନ ବିଛାଯିବା ପାଇଁ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀ ପ୍ରଧାନ କହିଛନ୍ତି, ଧାମରାରୁ ବାଂଲାଦେଶ ଏବଂ ସିଲିଗୁଡ଼ିରୁ ବାଂଲାଦେଶକୁ ଗ୍ୟାସ୍ ପାଇପଲାଇନ ନେଟୱର୍କ ଯୋଗେ ଯୋଡ଼ିବାର ଯୋଜନା ହୋଇଛି ।
ସେହିପରି ବାଂଲାଦେଶ ଦେଇ ମିଆଁମାରକୁ ମଧ୍ୟ ଗ୍ୟାସ୍ ପାଇପଲାଇନ୍ ନେଟୱର୍କର ବିସ୍ତାର ପାଇଁ ଯୋଜନା ରହିଛି । ଏସବୁ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରର ଗ୍ୟାସ୍ ପରିବହନ ପରିଚାଳନା କ୍ଷମତା କ୍ରମେ ବୃଦ୍ଧି କରାଯିବ । ବର୍ତ୍ତମାନ ତିନୋଟି ସିଙ୍ଗଲ୍ ପଏ ତେବେ ଏସବୁର ଅବକ୍ଷୟକୁ ରୋକିବା ପାଇଁ ନୂଆ ନୂଆ ଉଦ୍ଭାବନ ଓ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ଦେଶରେ ଆଗାମୀ ୧୦ ବର୍ଷ ମଧ୍ୟରେ ଇସ୍ପାତ ଚାହିଦା ୩୦୦ ନିୟୂତ ଟନ୍କୁ ବୃଦ୍ଧି ପାଇବ । କେବଳ ଓଡ଼ିଶାରେ ଏହି ସମୟ ମଧ୍ୟରେ ୧୦୦ ନିୟୂତ ଟନ୍ ଇସ୍ପାତ ଉତ୍ପାଦନର ବିଶାଳ କ୍ଷମତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ଆଞ୍ଚଳିକ ପାଇପ୍ ଲାଇନ୍ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି ସି ଚୌବେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଅଧ୍ୟକ୍ଷ ସଂଜୀବ ସିଂ, ଇଣ୍ଡିଆନ୍ ଅଏଲ୍ ପାଇପ୍ ଲାଇନ୍ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ କେ ତିୱାରୀ,ଇଣ୍ଡିଆନ୍ ଅଏଲ୍ ପାଇପ୍ ଲାଇନ୍ ବିଭାଗ ନିର୍ଦ୍ଦେଶକ ଏ କେ ସିଂହ, ପାରାଦାପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରୟ, ସିଏସ୍ଆଇଆର୍ ନିର୍ଦ୍ଦେଶକ ବି ଚନ୍ଦ୍ରଶେଖରନ୍ ଓ ଏନ୍ସିସିଆଇ ଅଧ୍ୟକ୍ଷା ବି ସରସ୍ୱତୀ ଉପସ୍ଥିତ ଥିଲେ ।