ମୋଦି ସରକାରଙ୍କ ଜନ କୈନ୍ଦ୍ରିକ ନିର୍ଣ୍ଣୟ ଓଡିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷ ବାତ୍ୟା ‘ଫୋନି’ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡିଶାର ଜନସାଧାରଣଙ୍କ ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର
ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କିମିଟିକୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇବା ସହ ମୋଦି ସରକାରଙ୍କ ଜନ କୈନ୍ଦ୍ରିକ ନିର୍ଣ୍ଣୟ ଓଡିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ‘ଫୋନୀ’ ଦ୍ୱାରା ପ୍ରଭାବିତ ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ଡିଆର୍ଏଫ୍)ରୁ ୩୩୩୮.୨୨ କୋଟି ଟଙ୍କା ମଞ୍ଜୁରୀ ଏହି କାମକୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସରକାରଙ୍କ ଏହି ଆର୍ଥିକସହାୟତା ପୂର୍ବାପେକ୍ଷା ଅଧିକ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ଫୋନିର’ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା । ଏହା ପରେ ୬ ମଇ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫୋନି’ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ ।
ବାତ୍ୟା ‘ଫୋନି’ରେ ଲୋକଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କଟିବଦ୍ଧ । ଓଡିଶା ପୁଣି ନିଜ ଗୋଡରେ ଠିଆ ହେବା ପାଇଁ କେନ୍ଦ୍ର ସରକାର ଏହି ସହାୟତା ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।