ନିଜାମୁଦ୍ଦିନରୁ ଫେରିଥିବା ୧୦ଜଣ ତାଳଚେର ବୁଲିଛନ୍ତି

ଭୁବନେଶ୍ୱର : ରାଜ୍ୟର ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିବା ଜଣାପଡିବା ପରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ନିଜାମୁଦ୍ଦିନରୁ ଫେରିଥିବା ୧୦ ଜଣ ତାଳଚେରରେ ବୁଲିଥିବା ଜଣାପଡିଛି । କୋରୋନା ଲାଗି ପ୍ରତିଦିନ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । ସେମାନଙ୍କୁ ଖୋଜା ଚାଲିଥିବା ସେ କହିଛନ୍ତି ।

ସେହିପରି ଆଜି ରାତି ଆଠଟାରୁ ରବିବାର ରାତି ଆଠଟା ପର‌୍ୟ୍ୟନ୍ତ କଟକ ମହାନଗର ନିଗମ, ଭଦ୍ରକ ପୌରାଂଚଳ ଓ ଭୁବନେଶ୍ୱର ମହାନଗର ନିଗମ ସମେତ ଭୁବନେଶ୍ୱର ପାଖ ୧୮ଟି ଗାଁରେ ସଟ୍‌ଡାଉନ୍ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ସମୟରେ ହସ୍ପିଟାଲ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ସରକାରୀ ଜଳଯୋଗାଣ, ସଫେଇ ଓ ପରିମଳ ସେବା, ବିଦ୍ୟୁତ୍ ସେବା ଓ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ଔଷଧ ଦୋକାନ ପାଇଁ ସଟ୍‌ଡାଉନ୍ କୋହଳ ହେବ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବଙ୍କ ଦ୍ୱାରା ଚିହ୍ନଟ ଦୂର ଯୋଗାଯୋଗ ସେବା, ପୌରାଂଚଳ ଦ୍ୱାରା ଚିହ୍ନଟ ପେଟ୍ରୋଲ ପମ୍ପ, କମିଶନରେଟ ପୋଲିସ ଦ୍ୱାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ, ପରିବହନ ଗାଡି, ରେଳ ଓ ବିମାନ ଦ୍ୱାରା ମାଲ୍ ପରିବହନ କଟକଣା କୋହଳ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ୧୧୧୩ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ୬ ଜଣ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ସେଥିରୁ ପ୍ରଥମ ଓ ୨ୟ ଆକ୍ରାନ୍ତ ସୁସ୍ଥ ହୋଇ ଘର ବାହୁଡିଥିବା ମଧ୍ୟ ସେ ଦର୍ଶାଇଛନ୍ତି । ସେପଟେ ସାରା ବିଶ୍ୱରେ ଦିନ ୩ ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ସଂକ୍ରମିତଙ୍କ ସଂଖ୍ୟା ୧୦,୧୯,୩୪୦ ରେ ପହଂଚିଥିବାବେଳେ ମୃତକଙ୍କ ସଂଖ୍ୟା ୫୩,୩୨୨ରେ ପହଂଚିଥିବା ସେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଭାରତରେ ସମୁଦାୟ ୨୩୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଛନ୍ତି ।