କୋରୋନା ମୁକାବିଲା ପାଇଁ ଚୁକ୍ତିଭିତିକ ଡାକ୍ତର ଖୋଜା, ଟ୍ୱିଟରରେ ବିଜ୍ଞପ୍ତି

ଭୁବନେଶ୍ୱର: କୋରୋନା ମୁକାବିଲା ଲାଗି ରାଜ୍ୟ ସରକାର ଚୁକ୍ତି ଭିତିକ ଡାକ୍ତର, ନର୍ସ ଓ ପାରାମେଡିକ୍ ଷ୍ଟାପ୍ ନିଯୁକ୍ତି କରିବାକୁ ଟ୍ୱିଟରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୋରୋନା ଲାଗି ଏମାନଙ୍କୁ ସରକାରୀ ଡାକ୍ତରଖାନାରେ ୩ ମାସ ପାଇଁ ନିଯୁକ୍ତି ଦିଆଯିବ ବୋଲି ଏଥିରେ ଦର୍ଶାଇଯାଇଛି ।

ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏମାନଙ୍କୁ ଚୁକ୍ତିଭିତିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ଏହି ସମୟରେ ସ୍ପେଶାଲିଷ୍ଟ ମାନଙ୍କୁ ଦୈନିକ ୫ ହଜାର ଟଙ୍କା, ଏମବିବିଏସ୍ ଡିଗ୍ରୀ ସହିତ ମେଡିକାଲ ଅଫିସରଙ୍କୁ ଦୈନିକ ୩ ହଜାର ଟଙ୍କା, ଷ୍ଟାଫ୍ ନର୍ସମାନଙ୍କୁ ଦୈନିକ ହଜାରେ ଟଙ୍କା, ଲାବ୍ରୋଟୋରୀ ଟେକନିସିଆନଙ୍କୁ ଦୈନିକ ହଜାରେ ଟଙ୍କା, ଫାର୍ମାସିଷ୍ଟଙ୍କୁ ଦୈନିକ ହଜାରେ ଟଙ୍କା, ରେଡିଓ ଗ୍ରାଫର୍ସଙ୍କୁ ଦୈନିକ ହଜାରେ ଟଙ୍କା ଓ ଏମପିଏଚଡବ୍ଲ୍ୟୁଙ୍କୁ ଦୈନିକ ୮୫୦ ଟଙ୍କା ମିଳିବ ବୋଲି ଏଥିରେ କୁହାଯାଇଛି ।

ଦରକାର ପଡିଲେ ସମୟ ଅବଧି ବଢାଯିବ ବୋଲି ମଧ୍ୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସୂଚନା ଥାଉକି, କୋରୋନାକୁ କାବୁ କରିବାକୁ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଛି ।