ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ: ୧୧ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀରେ କାବୁଲର ଏକ ଗୁରୁଦ୍ୱାରରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଯାହା ଫଳରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି, “କାବୁଲରେ ଏକ ଗୁରୁଦ୍ୱାରା ଉପରେ ହୋଇଥିବା ଆତ୍ମଘାତୀ ହମଲାକୁ କଡ଼ା ନିନ୍ଦା କରାଯିବା ଦରକାର। ଏହି ହତ୍ୟାକାଣ୍ଡ କେତେକ ଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ପୁଣିଥରେ ପ୍ରମାଣିତ କରିଛି। ତେଣୁ ସେମାନଙ୍କ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ପ୍ରୟାସ କରାଯିବା ଉଚିତ।”

କାବୁଲର ଶୋର ବଜାରରେ ଥିବା ଗୁରୁଦ୍ୱାର ଉପରେ ଆଜି ସକାଳ ୭.୪୫ରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ। ଏହି ସମୟରେ ୧୫୦ ଜଣ ଶ୍ରଦ୍ଧାଳୁ ଏହା ମଧ୍ୟରେ ଥିଲେ। ଗୁଳି ମାଡ଼ କରିବା ପରେ ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ଘଟଣା ସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଂଚି ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ଏହି ସମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ ଏଥିପାଇଁ ନିଜକୁ ଦାୟୀ କରିଛି।