ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଚିଠି; କୋରୋନା ମୁକାବିଲାରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଚିଠି । ଲକ୍‌ଡାଉନ୍ ପରିସ୍ଥିତିରେ ରାଜ୍ୟସରକାର, ବ୍ଲକ ଓ ପଂଚାୟତରେ ଜରୁରୀକାଳୀନ ସେବା ପହଂଚାଇବା ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ଅନୁମତି ଦେବାକୁ ସମୀର ଚିଠି ଲେଖିଛନ୍ତି ।

ସମୀର ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ଦର୍ଶାଇଛନ୍ତି ଯେ, ପ୍ରଶାସନକୁ ସହଯୋଗ କରିବା ପାଇଁ ବିଜେପି ସ୍ଵେଚ୍ଛାସେବୀ କାର୍ଯ୍ୟକର୍ତାଙ୍କୁ ସାମିଲ କରାଯାଉ । ଯେହେତୁ ସମଗ୍ର ଦେଶ ଲକ୍‌ଡାଉନ୍ ହୋଇଛି ଏପରି ପରିସ୍ଥିତିରେ ଦଳର ବରିଷ୍ଠ କାର୍ଯ୍ୟକର୍ତା ଏହି କଠିନ ସମୟରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇବା ପାଇଁ ଚାହାଁନ୍ତି । ତେଣୁ ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଦୀର୍ଘ ମିଆଦୀ ପ୍ରସ୍ତୁତି ସହ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ‘ଆମ ରାଜ୍ୟ କୋରୋନା ମୁକାବିଲାରେ ସଫଳ ହେବା ସହ ନୂଆ ସୋପାନ ପ୍ରସ୍ତୁତ କରୁ । ରାଜ୍ୟବାସୀଙ୍କ ସେବା ପାଇଁ ଆମ ଦଳ ରାଜ୍ୟ ସରକାରଙ୍କ ସବୁ ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବ ।’