ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟସରକାରଙ୍କ ୩ ଏମ୍ଓୟୁ

ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷରିତ

ଭୁବନେଶ୍ୱର : ପୌର ପ୍ରଶାସନ ଓ ପୌରସଂସ୍ଥା ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୌରସଂସ୍ଥା ଗୁଡିକୁ ସୁଦୃଢ, ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ଓ ଲାକାଭିମୁଖୀ କରିବା
ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପସ୍ଥିତିରେ ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଗୁରୁବାର ଦେଶର ୩ ଅଗ୍ରଣୀ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷରିତ କରିଛି । ନନ୍ଦନ ନିଲକେନି ଓ ଶ୍ରୀକାନ୍ତ ନାଧାମୁନିଙ୍କ ଇ-ଗୋଭ ପାଉଣ୍ଡେସନ, ଜନାଗ୍ରହ ସେଣ୍ଟର ଓ ଆଇଏଚ୍ସିଏନ୍‍ଏଫ୍‍ ସଂସ୍ଥା ସହିତ ରାଜ୍ୟ ସରକାର ରାଜିନାମା ସ୍ୱାକ୍ଷରିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିବା ସକାଶେ ୫-ଟି ମନ୍ତ୍ରରେ ପ୍ରଶାସନ ପରିଚାଳନା କରିବାକୁ ତାଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି । ଏହି ବୁଝାମଣା ସହରାଞ୍ଚଳ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ରାଜିନାମା ଯୋଗୁଁ ପୌରାଞ୍ଚଳ ଗୁଡ଼ିକରେ ଲୋକେ ଅଧିକ ଉନ୍ନତ ମାନର ସେବା ପାଇବେ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିବ । ଇ-ଗଭ୍‍ ଫାଉଣ୍ଡେସନ ମାଧ୍ୟମରେ ଆରମ୍ଭ କରାଯାଉଥିବା ପ୍ଲାଟଫର୍ମ ସହରାଞ୍ଚଳର ଲାକଙ୍କ ହାତ ପାଆନ୍ତାରେ ସରକାରୀ ସେବା ଗୁଡ଼ିକୁ ପହଞ୍ଚାଇ ପାରିବ । ଲୋକେ ଆଉ ସରକାରୀ ଦପ୍ତରକୁ ଦୌଡ଼ିବେ ନାହିଁ । ପୌର କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ପ୍ରଶାସନରେ ସ୍ୱଚ୍ଛତା, ଆର୍ଥିକ ଶୃଙ୍ଖଳା ସହିତ ପୌରସଂସ୍ଥା ବ୍ୟବସ୍ଥାରେ ଲୋକଙ୍କ ଭାଗିଦାରୀକୁ ବୃଦ୍ଧି କରାଯାଇପାରିବ । ସେହିପରି ରମେଶ ଏବଂ ସ୍ୱାଥୀ ରାମନାଥନଙ୍କ ଜନାଗ୍ରହ ସଂସ୍ଥା ସହିତ ହୋଇଥିବା ରାଜିନାମା ଦ୍ୱାରା ସମସ୍ତ ପୌରସଂସ୍ଥାଗୁଡ଼ିକର ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ । ସେହିଭଳି ଆଇଏଚ୍ସିଏନ୍‍ଏଫ୍‍ ଟ୍ରଷ୍ଟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ସଂରକ୍ଷଣ ସହିତ ଐତିହ୍ୟ କେନ୍ଦ୍ର ଗୁଡ଼ିକର ବିକାଶରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଆଇଏଚ୍ସିଏନ୍‍ଏଫ୍ର ଅଧ୍ୟକ୍ଷ ତଥା ୟୁନେସ୍କାର ଅଫିସିଆଲ ସହଯୋଗୀ ଡକ୍ଟର ରାମଚନ୍ଦ୍ରନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍‍ଚୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲ ।