ସବୁ ସ୍କୁଲରେ ବସ୍ତାନି ବୋଝ ଆଇନ ଲାଗୁ କରିବା ଲାଗି ସୁପାରିଶ

ଭୁବନେଶ୍ୱର:ସ୍କୁଲ ବ୍ୟାଗ ବସ୍ତାନି ବୋଝ ନିୟମକୁ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ବେଖାତିରି । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାର ଅନେକ ଦିନ ବିତିଛି । କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଅଧିକାଂଶ ସ୍କୁଲ ଗୁଡ଼ିକ ଗାଇଡ଼ଲାନ ମାନୁ ନଥିବାରୁ କାର୍ଯ୍ୟାନୁଷ୍ଠାନ ଲାଗି ଖୋର୍ଦ୍ଧା ଡିପିସି ସୁପାରିଶ କରିଛନ୍ତି । 

ବୟସ କମ ଥିବା ବେଳେ ସ୍କୁଲ ବ୍ୟାଗର ଓଜନ ପିଲାଙ୍କ ଓଜନ ଠାରୁ ଅଧିକ ହୋଇ କୋମଳମତି ସେମାନଙ୍କ ପାଇଁ ବୋଝ ସାଜୁଛି । ତେଣୁ ପିଲାଙ୍କ ସ୍କୁଲ ବ୍ୟାଗ ଓଜନକୁ ହ୍ରାସ ନେଇବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବସ୍ତାନି ବୋଝ ଆଇନ ଲାଗୁ କରିଥିଲେ ।  ସ୍କୁଲ ଗୁଡ଼ିକ ବସ୍ତାନି ବୋଝ ନିୟମ ମାନୁନଥିବା ଦର୍ଶାଇ ଖୋର୍ଦ୍ଧା ଡିପିସି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଅଧିକାଂଶ ସ୍କୁଲ ଗୁଡ଼ିକ ଗାଇଡ଼ଲାନ ମାନୁ ନଥିବାରୁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଖୋର୍ଦ୍ଧା ଡିପିସି ସୁପାରିଶ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ବସ୍ତାନି ବୋଝ ଆଇନ କଡ଼ାକଡ଼ି କରିବା ସହ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବାକୁ ଅଗଷ୍ଟ ୨ଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।