ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ପରଲୋକ ଘଟିଛି । ଗତକାଲି ସନ୍ଧ୍ୟାରେ ମୁମ୍ବାଇର ସାରଳା ନର୍ସିଂହୋମରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା ।

ନିମିଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଅଭିନେତ୍ରୀ ନିମିଙ୍କ ଦେହାନ୍ତ ବିଷୟରେ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଅଭିନେତ୍ରୀଙ୍କୁ ବିଦାୟ ଦେଇଛନ୍ତି। ନିମିଙ୍କ ମୃତ୍ୟୁକୁ ନେଇ ମହେଶ ଭଟ୍ଟଙ୍କ ଟ୍ୱିଟ୍ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି।

ମହେଶ ଭଟ୍ଟ ନିଜ ଟ୍ୱିଟରେ ନିମିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ତୁମେ ହୃଦୟର ଇଚ୍ଛାକୁ ଜିତି ପାରିବ। କିନ୍ତୁ ଶେଷରେ ତୁମେ ମୃତ୍ୟୁ ଦ୍ୱାରା ପ୍ରତାରିତ ହେବ। ବିଦାୟ ନିମି ଜି।”

ମହେଶ ଭଟ୍ଟଙ୍କ ବ୍ୟତୀତ ଭେଟେରାନ ଅଭିନେତା ଋଷି କପୁର ମଧ୍ୟ ନିମିଙ୍କ ମୃତ୍ୟୁ ବିଷୟରେ ଟ୍ୱିଟ କରି କହିଛନ୍ତି, ଧନ୍ୟବାଦ ନିମି ଆଂଟି, ବବିକୁ ଏହାର ପ୍ରିମିୟର୍ ରିଲିଜ୍ ପରେ ଆଶୀର୍ବାଦ ଦେଇଥିବାରୁ। ଆପଣ ଆର.କେ. ପରିବାରର ଅଂଶ ଥିଲେ। ‘ବରସାତ’ ତୁମର ପ୍ରଥମ ଚଳଚ୍ଚିତ୍ର ଥିଲା। ଆଲ୍ଲା ତୁମକୁ ଜନ୍ନତରେ ରଖନ୍ତୁ।

ସୂଚନାଯୋଗ୍ୟ, ଅଭିନେତ୍ରୀ ନିମି ୧୯୫୦ରୁ ୧୯୬୦ ଦଶକ ମଧ୍ୟରେ ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଅନେକ ନାମ ଅର୍ଜନ କରିଥିଲେ । ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ସଜା’, ‘ଆନ୍’, ‘ଉଡ଼ନ ଖଟୋଲା’, ‘ଭାଇ-ଭାଇ’, ‘କୁନ୍ଦନ’, ‘ମେରେ ମେହବୁବ’, ‘ପୂଜା କେ ଫୁଲ’, ‘ଆକାଶଦୀପ’ ଆନ୍ୟତମ ।