ଏବେ ଜାତୀୟ ରାଜପଥରେ ନିଆଯିବନି ଟୋଲ

ନୂଆଦିଲ୍ଲୀ: କୋରୋନାକୁ ଦୃଷ୍ଟିରେ ରଖି ବର୍ତମାନ ପରିସ୍ଥିତିରେ ଜାତୀୟ ରାଜପଥରେ ଟୋଲ ନିଆଯିବନି ବୋଲି ଘୋଷଣା କରିଛନ୍ତି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଗଡକରୀ କହିଛନ୍ତି ଯେ, ଜରୁରୀକାଳୀନ ସେବା ସହଜ କରିବା ଲାଗି ଅସ୍ଥାୟୀ ଭାବେ ଜାତୀୟ ରାଜପଥରେ ଟୋଲ ନିଆଯିବ ନାହିଁ । କେନ୍ଦ୍ରମନ୍ତ୍ରୀ ନିଜର ଘୋଷଣାରେ କହିଛନ୍ତି, କୋଭିଡ-୧୯କୁ ଦେଖି ଆଦେଶ ଦିଆଯାଉଛି ଯେ, ଦେଶର ସମସ୍ତ ଟୋଲ ପ୍ଲାଜାରେ ଟୋଲ ନେବା କାମ ବନ୍ଦ କରାଯାଉ । ସେ କହିଛନ୍ତି, ଏହା ଦ୍ୱାରା ଜରୁରୀକାଳୀନ ସେବାମୂଳକ କାମରେ ଲାଗିଥିବା ଲୋକଙ୍କର ସମୟ ବଂଚିବ।

ଏହା ବ୍ୟତୀତ ଗଡ଼କରୀ ନିଜର ଟୁଇଟରେ ଲେଖିଛନ୍ତି, ସଡ଼କରେ ରକ୍ଷଣାବେକ୍ଷଣ ଓ ଟୋଲ ପ୍ଲାଜାରେ ଜରୁରୀକାଳୀନ ସାମଗ୍ରୀ ସବୁବେଳେ ରହିବ । ଦେଶରେ ୨୧ ଦିନିଆ ଲକଡାଉନ ଆଗାମୀ ଏପ୍ରିଲ ୧୪ ଯାଏଁ ଚାଲିବ । ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟର ସୀମାଗୁଡ଼ିକ ସିଲ କରି ଦିଆଯାଇଛି । କେବଳ ଜରୁରୀକାଳନୀ ଯାନବାହାନ ଚଳାଚଳକୁ ଅନୁମତି ମିଳୁଛି । କେବଳ ଜରୁରୀକାଳୀନ ଜିନିଷପତ୍ର ଯୋଗାଣ କରୁଥିବା ଟ୍ରକ, ବାଧ୍ୟତାମୂଳକ ସେବା ସମ୍ବନ୍ଧୀତ ସରକାରୀ ବାହନ ଓ ଆମ୍ବୁଲାନ୍ସ ଯିବା ଆସିବା କରୁଛି । ପୋଲିସ ବ୍ୟକ୍ତିଗତ ଯାନବାହନଙ୍କୁ ପ୍ରକୃତ କାରଣ ମାଗିବା ପରେ ଛାଡୁଛି ।