ଆସନ୍ତାକାଲିଠୁ ପୃଥକ ଭାବେ ଭୁବନେଶ୍ୱରରୁ – ଜୁନାଗଡ଼କୁ ଚାଲିବ ଟ୍ରେନ, ଓଡ଼ିଆରେ ମିଳିବ ଟିକେଟ

ଭୁବନେଶ୍ୱର: ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । କାଲି ଠାରୁ ଭୁବନେଶ୍ୱରରୁ ଜୁନାଗଡକୁ ଏକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏହା ସହ କାଲିଠୁ ଓଡ଼ିଆ ଭାଷାରେ ମଧ୍ୟ ଅଣସଂରକ୍ଷିତ ଟ୍ରେନ ଟିକେଟ ମିଳିବ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା କିନ୍ତୁ ଅନ୍ୟ ଏକ ଟ୍ରେନ ଚଳାଚଳ ଯାତ୍ରୀଙ୍କ ପାଇଁ ସୁବିଧା ଆଣିଦେବ ।

ଟ୍ରେନ୍ ନମ୍ବର ୧୮୪୩୭ /୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ  ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ । କାଲି ଠାରୁ ଭୁବନେଶ୍ୱରରୁ ଜୁନାଗଡକୁ ଏକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏହା ସହ କାଲିଠୁ ଓଡ଼ିଆ ଭାଷାରେ ମଧ୍ୟ ଅଣସଂରକ୍ଷିତ ଟ୍ରେନ ଟିକେଟ ମିଳିବ । ଆସନ୍ତାକାଲି ରେଳ ସଦନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଟ୍ରେନ୍‌ ଓ ଟିକେଟର ଶୁଭାରମ୍ଭ କରିବେ । 

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବର୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍ରୁ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି । କେନ୍ଦ୍ରମନ୍ତ୍ରୀଙ୍କ ପତ୍ରକୁ ସିକୃତି ଦେଇ ଅଗଷ୍ଟ ୧୯ରେ ରେଳମନ୍ତ୍ରୀ ପିୟୂଷ ଗୋଏଲ ପ୍ରତିଉତ୍ତର ରଖିଥିଲେ ।