ରାମଦେବଙ୍କ ବାଇକ୍ ରାଇଡ୍

ବାବା ରାମଦେବ । ତାଙ୍କୁ ପରିଚୟ ଦରକାର ନାହିଁ । ଯୋଗ କରି ପ୍ରସିଦ୍ଧ ହୋଇଥିବା ବାବା ଏବେ ଏକ ଭିନ୍ନ କାରଣ ପାଇଁ ଆସିଛନ୍ତି ଚର୍ଚ୍ଚାକୁ  । ତାହା ହେଲା ମୋଟର ସାଇକେଲରେ ବସି । ବାବା ଏକୁଟିଆ ନୁହେଁ, ରାମଦେବଙ୍କ ସହ ବାଇକ୍‌ରେ ଥିଲେ ଆଉ ଜଣେ ଯୋଗ ଗୁରୁ । ଯୋଗ ଗୁରୁ ଜଗ୍ଗୀ ବାସୁଦେବ । ଯିଏ ବାଇକ୍ ଚଳାଇବାରେ ମାହିର । ଦୁଇ ଯୋଗ ଗୁରୁଙ୍କ ବାଇକ୍ ରାଇଡ୍ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏବେ ଆପଣ ଜାଣି ନିଅନ୍ତୁ ପୁରା ଘଟଣା ବାବଦରେ । ବାବା ରାମଦେବ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସହ ଯୋଗ ଗୁରୁ ଜଗ୍ଗୀ ବାସୁଦେବଙ୍କ ଆଶ୍ରମ ଯାଇଥିଲେ । କୋଏମ୍ବାଟୁରର ଆଶ୍ରମରେ ସଦ୍‌ଗୁରୁ ବାବା ରାମଦେବଙ୍କୁ ବାଇକ୍‌ରେ ବୁଲିବାକୁ ଅଫର ଦେଲେ । ବାବା ରାମଦେବ ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କ ଅଫର୍‌ ଖୁସିରେ ସ୍ବୀକାର କଲେ । ସଦ୍‌ଗୁରୁ ଜଗ୍ଗୀ ବାସୁଦେବ ତା ପରେ ନିଜର ଡୁକାଟି ବାଇକ୍‌ରେ ବାବା ରାମଦେବଙ୍କୁ ବସାଇ ବାହାରି ପଡ଼ିଲେ । ବାଇକ୍‌ରେ ବିନା ହେଲମେଟ୍‌ରେ ଦୁଇ ଜଣ ଯୋଗଗୁରୁ ପୁରା ଆଶ୍ରମର ଚକ୍କର କାଟିଲେ । ଆଶ୍ରମରେ ଉପସ୍ଥିତ ଯେଉଁ ଲୋକମାନେ ଦୁଇ ଯୋଗ ଗୁରୁଙ୍କୁ ବାଇକ୍‌ରେ ଚକ୍କର କାଟୁଥିବା ଦେଖିଲେ, ସେମାନେ ଚକିତ ହୋଇଗଲେ । କିଏ ସେଲ୍‌ଫି ନେଲେ, ଅନେକ ମୋବାଇଲ୍‌ରେ ଭିଡିଓ ସୁଟ୍ କଲେ ।ଏବେ ଏହି ଭିଡ଼ିଓ ଦ୍ରୁତ ଭାବେ ଭାଇରାଲ୍ ହେଉଛି । ଆଉ ଏ ଯାଏଁ ସୋସିଆଲ୍ ନେଟୱର୍କିଂ ସାଇଟ୍ ଟ୍ବିଟରରୁ ନେଇ ୟୁ ଟ୍ୟୁବ୍  ଯାଏଁ ଲକ୍ଷ ଲକ୍ଷ ଲୋକ ବାବାଙ୍କର ଏ ବାଇକ୍‌ ଯାତ୍ରାକୁ ଦେଖିଲେଣି । କିନ୍ତୁ ବାଇକ୍‌ରେ ବସିବା ବେଳେ ବାବା ରାମଦେବଙ୍କ ଅବସ୍ଥା ଦେଖିବା ଭଳି ଥିଲା । ରାମଦେବଙ୍କ ହାଲ୍ ବେହାଲ୍ ହୋଇଗଲା । କାରଣ ବାବା ନା ବାଇକ୍ ଚଳାନ୍ତି, ନା ବାଇକ୍ ସିଟରେ ବସିବାରେ ତାଙ୍କର କିଛି ପୂର୍ବ ଅନୁଭୂତି ଅଛି । ଏମିତିରେ ଏହି ବାଇକ୍ ରାଇଡ୍ ବାବଙ୍କ ପାଇଁ କୌଣସି ରୋମାଞ୍ଚଠାରୁ କମ୍ ନ ଥିଲା । ବଜ୍ରାସନ ଓ ବକ୍ରାସନରେ ବାବା ରାମଦେବ ତ ପାରଙ୍ଗମ । ଶରୀରର ଯେଉଁ ଭାଗକୁ ଯେମିତି ବି ମୋଡ଼ି ଦିଅନ୍ତି । କିନ୍ତୁ ବାଇକ୍‌ର ବ୍ୟାକ୍ ସିଟ୍‌ରେ ତାଙ୍କର ଅବସ୍ଥା ଖରାପ ଥିଲା । ହାତ ପଛକୁ ଥିଲା ଆଉ ଶରୀରକୁ ସମ୍ଭାଳିବାକୁ ସାହାରାର ଆବଶ୍ୟକତା ପଡୁଥିଲା ।