ଆସୁଛନ୍ତି ଶାହ

ଭୁବନେଶ୍ୱର   : କେବଳ ନବୀନ ସରକାରଙ୍କୁ ଟାର୍ଗେଟ କଲେ ହେବନି ଓଡିଶାରେ ସଂଗଠନକୁ ମଧ୍ୟ ମଜଭୁତ କରିବାକୁ ପଡିବ । ଆଉ ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରୋ ଜୋସ ଭରିବା ସହ ଗୁରୁମନ୍ତ୍ର ଦେବାକୁ ଆସଛନ୍ତି ବିଜେପିର ଚାଣକ୍ୟ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ଉପକୂଳ ଓଡିଶାରେ ପଦ୍ମ ଚେରକୁ ଶକ୍ତିଶାଳୀ କରିବା ପାଇଁ ଏବେ ନିଜ କାନ୍ଧରେ ଦାୟିତ୍ୱ ନେଇଛନ୍ତି ଶାହ ସାହେବ । ଜୁଲାଇ ପହିଲାରେ ସେ ଓଡ଼ିଶା ଆସୁଛନ୍ତି । ଏହି ଗସ୍ତ ଅବସରରେ ଉପକୂଳ ଓଡିଶାର ୩ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ସ୍ଥିତିରେ ତଦାରଖ କରିବେ ଶାହ । ଭୁବନେଶ୍ୱର, କଟକ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧ ବିଧାନସଭା ନିର୍ବାଚନ କ୍ଷେତ୍ରର ଦଳୀୟ ନେତାଙ୍କ ସହ ସଂଗଠନ ନେଇ ଆଲୋଚନା କରିବେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଲଷ୍ଟର ଭିତ୍ତିରେ ବୈଠକ ହେବ । ଦଳର ତୃଣମୂଳ ସ୍ତରର ସଂଗଠନ ସ୍ଥିତି ପରଖିବେ । ଏଥିଲାଗି ବିଜେପିର ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବେ । ବୁଥ ସ୍ତରରେ କମିଟି ଗଠନ ସଂପର୍କରେ କଥା ହେବେ । ଏହା ସହ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାର ବାସ୍ତବତା ଅନୁଧ୍ୟାନ କରିବେ ଶାହ । ଏହା ସହ ଦଳର ବିସ୍ତାରକଙ୍କୁ ପୂର୍ବରୁ ଦେଇଥିବା ଦାୟିତ୍ୱ କେତେ କାର୍ଯ୍ୟକାରୀ ହୋଇଛି ତାହା ମଧ୍ୟ ପଚାରି ବୁଝିବେ ବୋଲି ସୂଚନା ମିଳିଛି ।

ବିଜେପି ଫୋକସରେ ଓଡିଶା । ଟାଗେର୍ଟରେ ମିଶନ  ୧୨୦ପ୍ଲସ । ଏମିତି ଏଜେଣ୍ଡା ନେଇ ୨୦୧୯ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ରାଜ୍ୟ ବିଜେପି । ସେଥିଲାଗି ବିଜେପିର ଶୀର୍ଷ ନେତୃତ୍ୱ ବାରମ୍ବାର ଓଡିଶା ଆସୁଛନ୍ତି । ଗତ କିଛି ଦିନ ତଳେ ପଶ୍ଚିମ ଓଡିଶା ଆସିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜୁଲାଇ ୧ରେ ପୁଣି ଓଡିଶା ଆସିବେ । ଏଥର ସାଧାରଣ ସଭା ନୁହେଁ କବାଟ କିଳା ବୈଠକରେ ଉପକୂଳ ଓଡିଶାର ରଣନୀତି ଚୂଡାନ୍ତ କରିବେ ବିଜେପି ଚାଣକ୍ୟ ।

୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇବା ଦଳ କେତେ ପ୍ରସ୍ତୁତ, ନେତାଏ କେତେ ପାରିବାର ତାର ସମୀକ୍ଷା କରିବେ ମୁଖିଆ । ଏହାସହ ପୂର୍ବଥରର ଓଡ଼ିଶା ଗସ୍ତ ସମୟରେ ଶାହ ଦେଇଥିବା ଟାସ୍କ କେତେଦୂର ପୂରଣ ହୋଇଛି ତାର ମଧ୍ୟ ହିସାବ ନିକାସ ହେବ । ଦଳର ବରିଷ୍ଠ ନେତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ସହ ବୈଠକ କରି ସାଂଗଠନିକ କାର୍ଯ୍ୟ ସଂପର୍କରେ ଶାହ ଅସେଲାଚନା କରିବେ ବୋଲି କୁହାଯାଉଛି ।
ଗତ ଏପ୍ରିଲରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଅମିତ ଶାହ । ପୂର୍ବ ଗସ୍ତ ସମୟରେ ଫୋକସରେ ଥିଲା ପଶ୍ଚିମ ଓଡ଼ିଶା । ୪ ଏପ୍ରିଲରେ କଳାହାଣ୍ଡିରେ ପଶ୍ଚିମ ଓଡିଶାର ପଞ୍ଚାୟତ ପ୍ରମୁୁଖଙ୍କ ସହ ସିଧା ଆଲୋଚନା କରିଥିଲେ ଅମିତ । ୫ ଏପ୍ରିଲରେ ଶାହ ବଲାଙ୍ଗୀରରେ ଯୁବ ସମାବେଶରେ ସରକାର ବିରୋଧରେ ଲଢିବାକୁ ଆହ୍ୱାନ ଦେଇ ୨୦୧୯ ନିର୍ବାଚନରେ ବିଜେପି ୧୨୦ ନୁହେଁ ବରଂ ତା’ଠାରୁ ଅଧିକ ଆସନରେ ବିଜେପି ବିଜୟ ଲାଭ କରିବ ବାଲି ଦୃଢ଼ୋକ୍ତି କରିଥିଲେ । କବାଟକିଳା ବୈଠକରେ ଦଳର ନେତାଙ୍କ ସହ ଆଲୋଚନା କରି ସଂଗଠନ କାମର ହିସାବ ନେଇଥିଲେ ।
ଆଗାମୀ ନିର୍ବାଚନରେ ଓଡିଶା ଦଖଲ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରୁ ଜଣାପଡୁଛି ।
ଆସୁଛନ୍ତି ଶାହ