ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଆଜି (ଗୁରୁବାର) ନିଜର ପୂର୍ବରୁ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ ସଂଶୋଧନ ଆଣିଛନ୍ତି । ଆରବିଆଇ ପକ୍ଷରୁ ଆଜି ଜାରି କରା ଯାଇଥିବା ଏହି ସଂଶୋଧିତ ନିର୍ଦ୍ଦେଶନାମାରେ, ଏଣିକି ବ୍ୟାଙ୍କ୍ମାନେ ସେମାନଙ୍କର ଗ୍ରାହକମାନଙ୍କର କେଓ୍ଵାଇସି ଯାଞ୍ଚ ବେଳେ ଆଧାର ନମ୍ବରକୁ ଏକ ବୈଧ ଦଲିଲ୍ ବା ପ୍ରମାଣ ଭାବେ ଗ୍ରହଣ କରିପାରିବେ ବୋଲି ସ୍ପଷ୍ଟ କରି ଦିଆଯାଇଛି।
ତେବେ, ବ୍ୟାଙ୍କ୍ କୌଣସି ଗ୍ରାହକଙ୍କୁ ତାଙ୍କର ଆଧାର ନମ୍ବର ଦେବାକୁ ବାଧ୍ୟ କରିପାରିବେ ନାହିଁ। କେବଳ, ଯେଉଁ ଗ୍ରାହକମାନେ ସ୍ୱଇଚ୍ଛାରେ ନିଜ ଆଧାର ନମ୍ବରକୁ ନିଜର କେଓ୍ଵାଇସି ଆକାରରେ ଦେବାକୁ କେବଳ ମାତ୍ର ସେ କ୍ଷେତ୍ରରେ ବ୍ୟାଙ୍କ୍ ସେମାନଙ୍କର ଆଧାର ନମ୍ବର ରଖିପାରିବ ଏବଂ ଅଫ୍- ଲାଇନ୍ ଜରିଆରେ ଏହାର ଯାଞ୍ଚ କରିପାରିବ ବୋଲି ଆରବିଆଇ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରି ଦିଆଯାଇଛି। ପୂର୍ବରୁ ଆଧାର ନମ୍ବରକୁ ବ୍ୟାଙ୍କମାନେ ଗ୍ରାହକଙ୍କର କେଓ୍ଵାଇସି ପ୍ରମାଣପତ୍ର ଭାବେ ଗ୍ରହଣ କରୁ ନଥିଲେ। ଉଲ୍ଲେଖଯୋଗ୍ୟ, ଆଧାର ନମ୍ବରକୁ ବ୍ୟାଙ୍କ୍ ଗ୍ରାହକମାନେ ସେମାନଙ୍କ କେଓ୍ଵାଇସିର ପ୍ରମାଣପତ୍ର ଭାବେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର କ୍ୟାବିନେଟ ଗତ ଫେବ୍ରୁଆରି ମାସରୁ ଅନୁମୋଦନ ଦେଇଥିବା ବେଳେ ଆରବିଆଇ ନିଜ ପୂର୍ବ ନିର୍ଦ୍ଦେଶନାମାରେ ସଂଶୋଧନ ଅଣାଯାଇ ଏହାକୁ କାର୍ଯ୍ୟକାରୀ କରାଯାଇଛି।