କାମ କରୁଥିବାବେଳେ ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲେ ୩ଜଣ

ରାଜଧାନୀ ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ପ୍ରାୟ ସାଢେ ୩ଟାରେ ଏହି ବିସ୍ଫୋରଣ ଘଟିଥିଲା। ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହାପରେ ଫ୍ୟାକ୍ଟ୍ରିରୁ ୩ ମୃତଦେହ ବାହାର କରାଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଫ୍ୟାକ୍ଟ୍ରିରେ ଏକ ପାଇପ୍ରେ ଗ୍ୟାସ୍ ଲିକ୍ ହେବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନିଆଁ ଆଖପାଖ ବିଲ୍ଡିଂକୁ ବ୍ୟାପିବା ଆଶଙ୍କା ଥିବାରୁ ତୁରନ୍ତ ସେ ସବୁକୁ ଖାଲି କରି ଦିଆଯାଇଥିଲ। ମାତ୍ର ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ କାବୁ କରି ପାରିଥିଲେ। ଏବେ ପୁଲିସ୍ ଏହି ଘଟଣାର ଛାନଭିନ ଆରମ୍ଭ କରିଛି।