ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓଙ୍କ ପରଲୋକ

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ୫୦ ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା ।

ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାମୋଜୀ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀ ତାଙ୍କ ଶେଷ ଦର୍ଶନ କରିବେ । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ରାମୋଜୀ ରାଓଙ୍କ ପ୍ରତିଷ୍ଠିତ ବିଶ୍ବର ସର୍ବବୃହତ ଫିଲ୍ମସିଟିରେ କେତେଯେ ଫିଲ୍ମ ସୁଟିଂ ହୋଇଥିବା ତାହା କଳ୍ପନା ବାହାରେ । ଏହିଠାରୁ ହିଁ ଅନେକ ବଲିଉଡ ତଥା ଟଲିଉଡ୍‌ ହିରୋ ହିରୋଇନ୍‌ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଗୋଟିଏ କି ଦୁଇଟି ନୁହେଁ ରାମୋଜୀ ଅନେକ କ୍ଷେତ୍ରରେ ନିଜର ପରକାଷ୍ଠା ଦେଖାଇ ନିଜ ରାଜ୍ୟର ଅର୍ଥନୀତିର ଏକ ମେରୁଦଣ୍ଡ ସାଜିଥିଲେ । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।