ବ୍ୟାଙ୍କ ସେବା ଠପ,ମଙ୍ଗଳବାର ଓ ବୁଧବାର ବ୍ୟାଙ୍କ ପୁଣି ବନ୍ଦ

ଭୁବନେଶ୍ୱର : ସର୍ବ ଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ(ଏଆଇବିଓସି)ର ୨୪ଘଣ୍ଟିଆ ବନ୍ଦପାଳନ ଆଜି ଓଡ଼ିଶାରେ ପ୍ରତିଫଳିତ ହୋଇଛି । ସମଗ୍ର ଦେଶରେ ଏହି ଧର୍ମଘଟରେ ୩ ଲକ୍ଷ ୨୦ହଜାର ବ୍ୟାଙ୍କ ଅଫିସର ସାମିଲ ହୋଇଥିଲା ବେଳେ ଓଡ଼ିଶାରୁ ୨୫ ହଜାର ଅଫିସର ଏଥିରେ ଯୋଗ ଦେଇଥିଲେ । ଧର୍ମଘଟ ଯୋଗୁଁ ଦେଶର ଦେଢ଼ ଲକ୍ଷ ବ୍ୟାଙ୍କ ଶାଖା ଓ ଓଡ଼ିଶାରେ ୫ହଜାରୁ ଊଦ୍ଧ୍ୱର୍ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା । ଫଳରେ ଏହି ବନ୍ଦର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡ଼ିଥିଲା ।

ରାଜ୍ୟରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଧର୍ମଘଟ ଯୋଗୁଁ ଓଡ଼ିଶାରେ ପ୍ରାୟ ୧୦ହଜାର କୋଟି ଟଙ୍କାର କାରବାର ଠପ୍ ହୋଇଛି । ବ୍ୟାଙ୍କ ଅଫିସରମାନେ ନିଜ ନିଜ ବ୍ୟାଙ୍କ ସମ୍ମୁଖରେ ଧର୍ମଘଟ ଚଳାଇଥିଲେ । ସେଠାରେ ସେମାନେ କେନ୍ଦ୍ର ସରକାର ଓ ଆରବିଆଇ ବିରୋଧରେ ସ୍ଲୋଗାନ ଦେଇଥିଲେ । ତୁରନ୍ତ ଦ୍ୱାଦଶ ଦ୍ୱିପାକ୍ଷିକ ବେତନ ରାଜିନାମା ଲାଗୁ, ସର୍ବନିମ୍ନ ଦରମା ପାଇଁ ବିଚାର, ମୁଖ୍ୟ ବ୍ୟବସାୟ ସ୍ରୋତ ଉପରେ ଆଲୋକପାତ, ଏନ୍ପିଏ ଋଣର ପ୍ରାପ୍ୟ ଦେୟ, ଫ୍ୟାମିଲ୍ ପେନ୍ସନ୍ ନବୀକରଣ ଆଦି ଦାବି ଏଆଇବିଓସି ପକ୍ଷରୁ କରାଯାଇଛି । ସେହିପିର ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସମ୍ମିଶ୍ରଣ, ବ୍ୟାଙ୍କ ଅଧିକାରୀଙ୍କ ଉପରେ ଆକ୍ରମଣ, ମେଡିକାଲ ସୁବିଧା ହ୍ରାସ ଆଦିକୁ ବିରୋଧ କରିଛି ଏଆଇବିଓସି । ନ୍ୟାଯ୍ୟ ଦାବି ନେଇ କେନ୍ଦ୍ର ସରକାର ଓ ଆରବିଆଇଙ୍କୁ ଅବଗତ କରାଯାଇଛି ।

ବିଭିନ୍ନ ସମୟରେ ମଧ୍ୟ ଉଭୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ହେଲେ ଉଭୟଙ୍କ ପକ୍ଷରୁ ବାରମ୍ବାର ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଏଆଇବିଓସିର ଉପସଭାପତି ସମ୍ବିତ ମିଶ୍ର ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଜାଣିଶୁଣି କେତେକ ବ୍ୟାଙ୍କ ଅଫିସରଙ୍କ ଦରମା ବୃଦ୍ଧି କରିବା ପାଇଁ ସୁପାରିସ କରିଛନ୍ତି । ଏହି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ । ସବୁ ଅଫିସରଙ୍କ ଦେତନ ବୃଦ୍ଧି କରାଯାଉ । ଗତଥର ରାଜିନାମା ଅନୁସାରେ ପେନ୍ସନ୍ର ୩୦ ପ୍ରତିଶତ ବୃଦ୍ଧି କରାଯାଉ । ଏଆଇବିଓସି ପକ୍ଷରୁ ଆଇବିଏକୁ ଦିଆଯାଇଥିବା ଦାବିପତ୍ର ଅନୁସାରେ ଦରମା ନିର୍ଦ୍ଧାରଣ କରାଯାଉ ବୋଲି ସେ କହିଛନ୍ତି । ଏହି ଧର୍ମଘଟ ଯୋଗୁଁ ଶୁକ୍ରବାରଠାରୁ ୫ଦିନ ବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବ ।

ଶୁକ୍ରବାର ପରେ ଶନିବାର ରହିଛି । ିୟମ ଅନୁଯାୟୀ ମାସର ୪ର୍ଥ ଶନିବାର ବ୍ୟାଙ୍କ ସେବା ବନ୍ଦ ରହିଥାଏ । ତେଣୁ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିଛି । କେବଳ ସୋମବାର ଦିନଟି ବ୍ୟାଙ୍କ ଖୋଲା ରହିବ । ପୁଣି ମଙ୍ଗଳବାର ବଡ଼ଦିନ ଓ ବୁଧବାର ୟୁଏଫ୍ବିୟୁ ପକ୍ଷରୁ ଆଉ ଏକ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟରେ ଦେଶର ସମସ୍ତ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ।