ଯାଞ୍ଚ ହେବ କମ୍ପୁଟର ତଥ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : କମ୍ପ୍ୟୁଟରରେ ଷ୍ଟୋର୍, ରିସିଭ୍ ଓ ଟ୍ରାନ୍ସମିଟ୍ ହେଉଥିବା ସୂଚନା ଓ ତଥ୍ୟଗୁଡ଼ିକୁ ଯାଞ୍ଚ୍ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୦ଟି କେନ୍ଦ୍ରୀୟ ଗୋଇନ୍ଦା ଏଜେନ୍ସିକୁ କ୍ଷମତା ପ୍ରଦାନ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି, ଏହି ଯାଞ୍ଚ୍ ଏଜେନ୍ସିଗୁଡ଼ିକ ଯେକୌଣସି ବ୍ୟକ୍ତିଙ୍କ କମ୍ପ୍ୟୁଟରକୁ ବିଶେଷ ପରିସ୍ଥିତିରେ ଯାଞ୍ଚ୍ କରି ପାରିବେ । ଏଥିସହ ସୋସିଆଲ ମିଡିଆ ଉପରେ କେନ୍ଦ୍ର ସରକାର ନଜର ରଖିବେ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶନାମା ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଘୋର ଆପତ୍ତି ଉଠାଇଥିଲା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହି ନିୟମ ୨୦୦୯ରେ ୟୁପିଏ ଅମଳରୁ ରହିଛି ଏବଂ ଗତ ଡିସେମ୍ବର ୨୦ରେ କେବଳ ପୁନଃ ବିଜ୍ଞପ୍ତି ପ୍ରକାଶ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାତୀୟ ନିରାପତ୍ତା, ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗୁରୁତର ଅପରାଧ ମାମଲାରେ ଇେ ବ୍ୟକ୍ତିଙ୍କ ଇ-ମେଲ୍ କିମ୍ବା ଫୋନ୍ କଲ୍ ଯାଞ୍ଚ୍ କରିପାରୁ ଥିଲା । ଏବେ ନୂଆ ବ୍ୟବସ୍ଥାରେ ଫୋନ୍ କଲ୍ ଓ ଇ-ମେଲ୍ ସହ କମ୍ପ୍ୟୁଟରରେ ଷ୍ଟୋର ହୋଇଥିବା ତଥ୍ୟ ମଧ୍ୟ ଯାଞ୍ଚ୍ କରାଯାଇ ପାରିବ ।

ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ୬୯(୧) ଅନୁଯାୟୀ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏଭଳି ଅଧିକାର ଦିଆଯାଇଛି । ତେବେ ବିରୋଧୀ ଦଳଗୁଡ଼ିକ ଏହାକୁ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା । କଂଗ୍ରେସ ନେତା ଆନନ୍ଦ ଶର୍ମା ଏହି ପ୍ରସଙ୍ଗ ଉଠାଇ କହିଲେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଇନ୍ଦା ବିଭାଗକୁ ଦେଇଥିବା କ୍ଷମତା ଦ୍ୱାରା ମୌଳିକ ଅଧିକାରର ଉଲ୍ଲଙ୍ଘନ ହେବ । ବିରୋଧୀ ଦଳର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ । ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶନାମାକୁ ଦୃଢ଼ ସମର୍ଥନ କରି କହିଛନ୍ତି, ଆଇଟି ଆଇନ (ଧାରା ୬୯) ଅନୁଯାୟୀ ଏହି ନିର୍ଦ୍ଦେଶନାମା ଗତ ଗୁରୁବାର ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ସାଇବର ଓ ଇନ୍ଫର୍ମେସନ୍ ସିକ୍ୟୁରିଟି ଡିଭିଜନ ପକ୍ଷରୁ ଜାରି ହୋଇଛି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ସବ୍ସ୍କ୍ରାଇବର୍ କିମ୍ବା ସର୍ଭିସ୍ ପ୍ରୋଭାଇଡର କିମ୍ବା କମ୍ପ୍ୟୁଟର ଦାୟିତ୍ୱରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ ସୂଚନା ପ୍ରଦାନରେ ସହଯୋଗ କରିବାକୁ ପଡ଼ିବ । ନଚେତ୍ ସେମାନଙ୍କୁ ୭ ବର୍ଷ ଜେଲ୍ ଓ ଜୋରିମାନା ହେବ । ସିପିଏମ୍, ସମାଜବାଦୀ ପାର୍ଟି, ଆର୍ଜେଡି ଓ ତୃଣମୂଳ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳର ସଦସ୍ୟମାନେ ଘୋର ଆପତ୍ତି ଉଠାଇଥିଲେ । ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ ମିଳିତ ଭାବେ ବିରୋଧ କରୁଛନ୍ତି ବୋଲି କହିଥିଲେ । ବିଜେପି ସରକାର ଦେଶକୁ ଏକ ସର୍ଭିଲେନ୍ସ ଦେଶରେ ପରିଣତ କଲେଣି ବୋଲି ସେମାନେ ଆପତ୍ତି ଉଠାଇଥିଲେ ।