ବାୟୋଗ୍ୟାସ୍ରେ ପୁଞ୍ଜିନିବେଶ ପାଇଁ ରୋଡ୍ ଶୋ’

ଭୁବନେଶ୍ୱର : ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡୋବେଲ ଟ୍ରାନ୍ସପୋର୍ଟେସନ୍ (ଏସ୍ଏଟିଏଟି) ପାଇଁ ଅଂଶଧାରକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍), ଭାରତ ପେଟ୍ରୋଲିୟମ୍ କର୍ପୋରେସନ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ରବିବାର ଭୁବନେଶ୍ୱରରେ ରୋଡ୍ ଶୋ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷି ଓ ସହରୀ ବର୍ଜ୍ୟବସ୍ତୁ ବ୍ୟବହାର କରାଯିବା ଦ୍ୱାରା ଦେଶର ଅର୍ଥନୀତି ମଜଭୁତ୍ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ।

ସେହିଭଳି କମ୍ପ୍ରେସ୍ଡ଼୍ ବାୟୋଗ୍ୟାସ୍ (ସିବିଜି) କୃଷିବର୍ଜ୍ୟ, ପ୍ରେସ୍ ମଡ଼୍, ବର୍ଜ୍ୟଜଳ, ନାଳ ପାଣି, ମ୍ୟୁନିସିପାଲିଟି କଠିନ ବର୍ଜ୍ୟ, ଗୋବର, ଶିଳ୍ପ ବର୍ଜ୍ୟ ଆଦି ବିଭିନ୍ନ ପ୍ରକାର ବର୍ଜ୍ୟରୁ ସୃଷ୍ଟି ହୋଇପାରିବ । ସିବିଜି ପ୍ରାକୃତିକ ଗ୍ୟାସ୍ର ବିକଳ୍ପ ଏବଂ ପରିବହନ କ୍ଷେତ୍ରରେ କମ୍ପ୍ରେସ୍ଡ଼୍ ନାଚୁରାଲ ଗ୍ୟାସ୍ (ସିଏନ୍ଜି) ପରିବର୍ତ୍ତେ ଏହାକୁ ବ୍ୟବହାର କରାଯାଇ ପାରିବ । ବର୍ତ୍ତମାନ ଭାରତରେ ପାଖାପାଖି ୧୪୦ ଏମ୍ଏମ୍ଏସ୍ସିଏମ୍ଡ଼ି ପ୍ରାକୃତିକ ଗ୍ୟାସ ବ୍ୟବହାର ହେଉଛି । ତନ୍ମଧ୍ୟରୁ ୭୦ ଏମ୍ଏମ୍ଏସ୍ସିଏମ୍ଡ଼ି ଘରୋଇ ଉତ୍ପାଦନ ହୋଇଥିବା ବେଳେ ଅନ୍ୟ ୭୦ ଏମ୍ଏମ୍ଏସ୍ସିଏମ୍ଡ଼ି ଆମଦାନୀ ହେଉଅଛି ଯାହା କି ସମୁଦାୟ ବ୍ୟବହାରର ୫୦% । ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ୬-୭% ଅଭିବୃଦ୍ଧି ହାରକୁ ୨୦୨୨ ମସିହା ସୁଦ୍ଧା ୧୫% ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ସରକାର ଏକ ଗ୍ୟାସ୍ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ପରିବହନ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍ର ଚାହିଦାକୁ ଦୃଷ୍ଟିରେ ରଖି ସିବିଜିକୁ ଏକ ସମ୍ଭାବିତ ମାର୍ଗ ଭାବେ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ଏସ୍ଏଟିଏଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା କମ ମୂଲ୍ୟରେ ପରିବହନ ପାଇଁ ଇନ୍ଧନ ଉପଲବ୍ଧ କରାଇବା ଓ କୃଷି ବର୍ଜ୍ୟ, ଗୋବର ଓ ସହରାଞ୍ଚଳର କଠିନ ବର୍ଜ୍ୟର ସଠିକ ବ୍ୟବହାର ଦ୍ୱାରା ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ପ୍ରଦାନ କରିବା । ଏଥିରେ ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ସ୍ଥାପନା କରି ୨୦୨୩ ସୁଦ୍ଧା ୧୫ ମିଲିୟନ ଟନ ବାର୍ଷିକ ସିବିଜି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ସଞ୍ଜୀବ ସିଂ କହିଥିଲେ ଯେ, ଏମ୍ଓପିଏନ୍ଜିର ତତ୍ତ୍ୱାବଧାନରେ ଅକ୍ଟୋବର ୧ ତାରିଖ, ୨୦୧୮ରେ ନୂଆଦିଲ୍ଲୀଠାରେ ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡୋବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) କାର୍ଯ୍ୟକ୍ରମ ପରିବହନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇ କମ୍ପ୍ରେସ୍ଡ଼୍ ବାୟୋଗ୍ୟାସ୍ (ସିବିଜି) ପରିବର୍ତ୍ତିତ ସବୁଜ ଶକ୍ତି କ୍ଷେତ୍ରର ଶୁଭାରମ୍ଭ କରାଯାଇଥିଲା ।
ଶ୍ରୀ ପ୍ରଧାନ ନିବେଶକମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ପେଟ୍ରୋଲିୟମ ଏବଂ ଓଏମ୍ସି ମନ୍ତ୍ରଣାଳୟ ଠାରୁ ଆବଶ୍ୟକ ସାହାଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ଓଡ଼ିଶାର ୧୯ ଜିଲ୍ଲାରେ ସହରୀ ଗ୍ୟାସ୍ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଅଛି । ପାଇପଲାଇନ ଗ୍ୟାସ ଯୋଗାଣରେ ଗୁଜରାଟ ପରେ ଓଡ଼ିଶା ହେବ ସର୍ବବୃହତ ରାଜ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍ଓପିଏନ୍ଜିର ନିର୍ଦ୍ଦେଶକ ବିଜୟ ଶର୍ମା, ଆଇଓସିଏଲ୍ର ଆର୍ଆଣ୍ଡଡି ଡ. ଏସ୍ଏସ୍ଭି ରାମକୁମାର, ବିପିସିଏଲ୍ର ଡାଇରେକ୍ଟର ମାର୍କେଟିଙ୍ଗ ଅରୁଣ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ ସିବିଜ ପ୍ଲାଣ୍ଟ: ଆଇଓସିଏଲ ସିଜିଏମ ପ୍ରୀତିଶ ଭରତ