ଦିଲ୍ଲୀରେ ଭେଟେରାନ୍‌ ଇଣ୍ଡିଆ ପକ୍ଷରୁ ନ୍ୟୁଜ୍‌ 7 ଏଡିଟର ଅର୍ଦ୍ଧେନ୍ଦୁ ଦାସ ସମ୍ମାନିତ

ନୂଆଦିଲ୍ଲୀ : ଦେଶ ମାତୃକାର ସେବାରେ ନିୟୋଜିତ ବୀର ଯବାନଙ୍କ ସଂପର୍କରେ ସ୍ବତନ୍ତ୍ର ଖବର ପ୍ରସାରଣ କରି ଦେଶର ସୈନିକ ଓ ସେମାନଙ୍କ ପରିବାର ନିକଟରେ ଖୁବ୍‌ ସମ୍ମାନିତ ଏବଂ ଲୋକପ୍ରିୟ ହୋଇପାରିଛି ନ୍ୟୁଜ୍‌ ସେଭେନ୍‌ ।  ଓଡ଼ିଆ ଖବର ପ୍ରସାରଣରେ ଅଗ୍ରଣୀ ଭୂମିକା ନେଇ ଆସିଥିବା ନ୍ୟୁଜ୍‌ ସେଭେନ୍‌ ଚାନେଲର ଏଭଳି ଦେଶପ୍ରେମଭିତ୍ତିକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଭେଟରାନ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ୧୯୭୧ ବିଜୟ ଦିବସର ୪୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଦିଲ୍ଲୀର  ଏନସିସି ଅଡିଟୋରିୟମରେ ଆୟୋଜିତ ଏହି ୨ଦିନିଆ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ  ରାଜନାଥ ସିଂଙ୍କ ସମେତ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ବହୁ କର୍ମଚାରୀ ଓ ପୂର୍ବତନ କର୍ମଚାରୀ ଯୋଗ ଦେଇଥିଲେ । ସେନା ଯବାନମାନଙ୍କ ପାଇଁ ସବୁବେଳେ  କାମ କରି ଆସୁଥିବା  ଦେଶର ଶ୍ରେଷ୍ଠ ବ୍ୟକ୍ତି ବିଶେଷମାନଙ୍କୁ ଏଥିପାଇଁ ସମ୍ମାନିତ କରାଯାଇଛି । ଏହି ଅବସରରେ ଟେଲିଭିଜନରେ ରୋଚକ ଏବଂ ନିରପେକ୍ଷ ଖବର ସମ୍ପାଦନା ସହିତ ଲୋକଙ୍କ ସମସ୍ୟା ସହ ଯୋଡି ହେବା ଭଳି ଖବର ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡିଶାର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ ସେଭେନ୍  ଏଡିଟର ଅର୍ଦ୍ଧେନ୍ଦୁ ଦାସଙ୍କୁ ସମ୍ମାନିତ କରାଯାଇଛି । ଦେଶ ସେବାରେ ନିୟୋଜିତ ଯବାନମାନଙ୍କ ସଂପର୍କରେ ସ୍ବତନ୍ତ୍ର ନ୍ୟୁଜ୍ ପ୍ରସାରଣ କରି ନ୍ୟୁଜ୍ ସେଭେନ୍ ସେନା ତଥା ସେମାନଙ୍କ ପରିବାର ପାଖରେ ଖୁବ୍‌ ଆଦୃତ ହୋଇପାରିଛି । ନ୍ୟୁଜ୍  ସେଭେନ୍ ର ଏଭଳି ଦେଶପ୍ରେମ କାର୍ଯ୍ୟକ୍ରମକୁ  ପ୍ରଶଂସା କରିଥିଲେ ଏୟାର ଭାଇସ୍ ମାର୍ସାଲ ଏସ.କେ ଜିନ୍ଦଲ ।

ଭେଟେରାନ୍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ବିଜୟୀ ସୈନିକ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା।