ଭୁବନେଶ୍ବର: ରାଜ୍ୟରେ ଅନୁଷ୍ଠିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଗତକାଲିଠାରୁ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ଏହି ଶିଳ୍ପ ମହାକୁମ୍ଭର ଦ୍ବିତୀୟ ଦିନରେ ଦେଶର ନାମିଦାମୀ ଶିଳ୍ପପତି ଦେଇଛନ୍ତି ବିପୁଳ ନିବେଶର ପ୍ରତିଶ୍ରୁତି । ଆଜି ଥିଲା ପ୍ଲେନାରୀ ଅଧିବେଶନ ଓ ବିଜନେସ୍ ଲିଡରସିପ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେଇ ଶିଳ୍ପପତିମାନେ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣକୁ ଅନୁଧ୍ୟାନ କରିବା ପରେ ଆଗାମୀ ଦିନରେ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବେ ବୋଲି ଘୋଷଣା କରିଛନ୍ତି।
ମେକ ଇନ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ପାଇଁ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓଡିଶା ପାଇଁ ୧୪ ହଜାର ୪ଶହ କୋଟିର ପୁଞ୍ଜିନିବେଶ ପାଇଁ ଘୋଷଣା କରିଛନ୍ତି ।
ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓଡ଼ିଶାରେ ତାଙ୍କ କମ୍ପାନୀ ୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟରେ ୬ହଜାର କୋଟିର ପୁଞ୍ଜିନିବେଶ କରିଥିବା ରିଲାଏନ୍ସ କମ୍ପାନି ଏଥର ପୁଣି ୩ ହଜାର କୋଟି ଟଙ୍କାର ପୁଞ୍ଜିନେବେଶ କରିବା ନେଇ ଘୋଷଣା କରିଛି ।
ଟାଟା ସନସ୍ ଗ୍ରୁପ୍ର ଅଧ୍ୟକ୍ଷ ନଟରାଜନ୍ ଚନ୍ଦ୍ରଶେଖରନ୍ ତାଙ୍କ କମ୍ପାନି ଓଡ଼ିଶାରେ ୨୫ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଟାଟା କମ୍ପାନି ଓଡ଼ିଶାରେ ୭୫ ହଜାର କୋଟିର ପୁଞ୍ଜି ନିବେଶ କରି ସାରିଥିବା ବେଳେ ଏବେ ୨୫ ହଜାର କୋଟିର ନୂତନ ନିବେଶ କରିବ ।
ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଛନ୍ତି । ସେହିପରି ୨୦୩୦ ସୁଦ୍ଧା ୬ ମିଲିୟନ ଟନର ଷ୍ଟିଲ ପ୍ଲାଂଟକୁ ବୃଦ୍ଧି କରାଯାଇ ୨୦ ମିଲିୟନ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ସେହିପରି ୪୫ ହଜାର କୋଟିର ନିବେଶକୁ ବୃଦ୍ଧି କରାଯାଇ ୧ ଲକ୍ଷ କୋଟିର ପୁଂଜିନିବେଶ କରାଯିବ ।
ସେହିପରି ଏହି ଦୁଇ ଦିନଆ ସମିଟ୍ ଓ କନ୍କ୍ଲେଭ୍ରେ ଯୋଗ ଦେଇଥିବା ଉଭୟ ଭାରତୀୟ ଓ ବିଦେଶୀ ଶିଳ୍ପପତି ଓ କମ୍ପାନିମାନେ ମଧ୍ୟ ଆଗାମୀ ଦିନରେ ରାଜ୍ୟରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବା ପାଇଁ ଘୋଷଣା କରିଛନ୍ତି।