ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତି ମାନଙ୍କ ପ୍ରଶ୍ନର ଉତ୍ତର ରଖିଲେ ନବୀନ

ଭୁବନେଶ୍ବର  : ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କୁ  ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ । ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ ଉତ୍ତର ପାଇବା ପରେ ଶିଳ୍ପପତିମାନେ କରତାଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ

ନବୀନଙ୍କୁ ଶିଳ୍ପପତିଙ୍କ ପ୍ରଶ୍ନ । ଆଉ ନବୀନ ଦେଲେ ଉତ୍ତର । ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭରେ ପ୍ରଥମ ପ୍ରଶ୍ନ କରିଥିଲେ ଶିଳ୍ପପତି ତଥା ବେଦାନ୍ତର ମୁଖ୍ୟ ଅନିଲ୍‌ ଅଗ୍ରୱାଲ୍‌ । ପ୍ରକୃତିରେ ଭରପୁର ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଏହାର ଅଧିକ ବିକାଶ କରିବାକୁ ଆପଣ କି ଯୋଜନା ରିଖଛନ୍ତି? ଉତ୍ତରରେ ନବୀନ କହିଛନ୍ତି ଯେ, ଚିଲିକା ହ୍ରଦ, ବିସ୍ତିର୍ଣ୍ଣ ବେଳାଭୂମୀ ସହ ଅନେକ ଐତିହାସିକ ମନ୍ଦିର ଓଡ଼ିଶାରେ ରହିଛି ତେଣୁ ପର୍ଯ୍ୟଟନ ବିକାଶ ଦିଗରେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି ।

ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସ୍କିଲ ଡେଭଲପମେଣ୍ଟ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରାଜ୍ୟରେ ଅଧିକ କୁଶଳୀ ସୃଷ୍ଟି କରିବା । ଯେଉଁଥି ପାଇଁ ସିଙ୍ଗାପୁର ସହଭାଗିତାରେ ୧୦୦ ଶିକ୍ଷକଙ୍କୁ ସେଠାକୁ ସ୍କିଲ୍ ଡେଭଲପମେଣ୍ଟ ତାଲିମ ପାଇଁ ପଠାଯାଇଥିଲା । ସେମାନେ ରାଜ୍ୟର ଯୁବପିଢ଼ୀଙ୍କୁ ଦକ୍ଷତା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ତୃତୀୟ ପ୍ରଶ୍ନ ପଚାରିଥିଲେ ଆପୋଲୋ ହସ୍ପିଟାଲର ମ୍ୟାନେଜିଙ୍ଗ ଡାଇରେକ୍ଟର ସଂଗୀତା ରେଡ୍ଡି । ସବୁଜ ସହର କରିବା ଦିଗରେ ଓଡ଼ିଶାର ଭୂମିକା ଏବଂ ସ୍ବାସ୍ଥ୍ୟ ଯୋଜନାକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ ସଂଗୀତା । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ବୃକ୍ଷ ପ୍ରିୟ । ସେଥିପାଇଁ ବୃକ୍ଷରୋପଣ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ହାତଗଣତି ରାଜ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ରହିଛି । ସେହିପରି ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ସ୍ବାସ୍ଥ୍ୟ ସେବା ନୀତି ଆରମ୍ଭ କରିଛନ୍ତି । ଯାହାଦ୍ବାରା ସବୁ ଲୋକ ଲାଭବାନ ହେବେ ।

ରିଲିଆନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପ୍ରଶ୍ନ ଥିଲା ଆସନ୍ତା ୩ ରୁ ୫ ବର୍ଷ ଭିତରେ କେଉଁ ସେକ୍ଟରରେ ଓଡିଶା ଅଧିକ ନିବେଶ ଲକ୍ଷ୍ୟ ରଖିଛି  ଏବଂ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ କେଉଁଠି ପୁଞ୍ଜି ନିବେଶ କଲେ ଓଡିଶାର ଯୁବବର୍ଗ ଆଗକୁ ବଢିବେ ? ଏହାର ଉତ୍ତରରେ ନବୀନ କହିଥିଲେ ଖଣିଜଦ୍ରବ୍ୟ କ୍ଷେତ୍ରରେ ଓଡ଼ିଶା ଅଧିକ ବିନିଯୋଗ ଦେଖିବାକୁ ଚାହୁଁଛି । ଏଦଗିରେ ନିଯୁକ୍ତିର ବି ସମ୍ଭାବନା ବି ରହିଛି । ସେହିଭଳି ଅନ୍ୟାନ୍ୟ ସେକ୍ଟର ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଉଛି । କ୍ରୀଡା ହଁ ଯୁବବର୍ଗ ଓ ଯୁବବର୍ଗ ହିଁ ଭବିଷ୍ୟତ ବୋଲି କହିଥିଲେ ନବୀନ । କୁମାର ମଙ୍ଗଲମ୍‌ ବିର୍ଲା ଫାଉଣ୍ଡେସନ୍‌ ରାଜ୍ୟରେ ସୁଟିଂ ଇନଷ୍ଟିଚ୍ୟୁଟ୍‌ କରିବାକୁ ଯାଉଛି ।ଏଥିରୁ ଅଲିମ୍ପିଆନ୍‌ ବାହାରିବେ । ଏହି ମାସରେ ଆମେ ରାଜ୍ୟରେ ହକି ବିଶ୍ବକପ୍‌ ମଧ୍ୟ ଆୟୋଜନ କରିଛୁ ବୋଲି ନବୀନ କହିଥିଲେ ।