ରାଜ୍ୟରେ ସୁସ୍ଥ ହେଲେ ପୁଣି ଜଣେ

ଭୁବନେଶ୍ୱର: ବୁଧବାର ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ବୁଧବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କୁହାଯାଇଛି।


ଏଥିସହିତ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯ରେ ପହଂଚିଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟରରେ ଦେଇଥିବା ସୂଚନା ଅନୁଯାୟୀ, ଆଜି ୧୧୯୭ ପରୀକ୍ଷା କରାଯାଇଥିଲା। କିନ୍ତୁ ସମନ୍ତ ନମୁନା ନେଗେଟିଭ୍ ଆସିଥିଲା। ଓଡ଼ିଶାରେ ଆଜିଯାଏ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ସତରେ ଆଜିର ଦିନ ସମସ୍ତଙ୍କ ପାଇଁ ଏକ ବଡ଼ ଦିନ।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା। ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ରହିଛି। ସେହିଭଳି କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା, କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼।