ରାଜସ୍ଥାନରେ ଖଣି ଭୁଷୁଡିବା ଘଟଣା; ଉଦ୍ଧାର ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

ରାଜସ୍ଥାନର ନିମ କା ଥାନା ଜିଲ୍ଲାର କୋଲିହାନ ଖଣିରେ ମଙ୍ଗଳବାର ରାତିରୁ ଲିଫ୍ଟ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ହିନ୍ଦୁସ୍ତାନ କପର ଲିମିଟେଡର ସମସ୍ତ ୧୫ ଜଣ ଅଧିକାରୀଙ୍କୁ ବୁଧବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ନିମ କା ଥାନା ଜିଲ୍ଲାପାଳ ଶରଦ ମେହେରା କହିଛନ୍ତି ଯେ ଉଦ୍ଧାର ହୋଇଥିବା ୧୪ ଜଣଙ୍କୁ ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲକୁ ପଠାଯାଇଥିଲା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ଥିବାରୁ ପରୀକ୍ଷା ପାଇଁ ଏକ କମ୍ପାନୀ ହସ୍ପିଟାଲକୁ ନିଆଯାଇଥିଲା।

ହିନ୍ଦୁସ୍ତାନ କପର ଲିମିଟେଡ୍ ନାମକ ରାଷ୍ଟ୍ରାୟତ୍ତ କମ୍ପାନିର ୧୫ ଜଣ କର୍ମଚାରୀ ମଙ୍ଗଳବାର ରାତିରେ କୋଲିହାନ୍ ଖଣିରେ ଫସି ଯାଇଥିଲେ। କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ପିଞ୍ଜରାର ଦଉଡ଼ି ଛିଡି ଯିବାରୁ ତଳକୁ ଖସି ପଡ଼ିଥିଲା। ସରକାରୀ କମ୍ପାନିର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଖଣି ଭିତରକୁ ଯାଞ୍ଚ ପାଇଁ ଯାଇଥିଲେ। ତେବେ ସେମାନେ ଉପରକୁ ଆସିବାକୁ ଯାଉଥିବା ବେଳେ ପିଞ୍ଜରା ଝୁଲିଥିବା ଦଉଡ଼ି ଛିଡି ଯିବାରୁ ଏହା ଭୁଶୁଡ଼ି ପଡ଼ିଥିଲା ଓ କର୍ମଚାରୀମାନେ ଶହ ଶହ ଫୁଟ ଗଭୀରତାରେ ଫସି ରହିଥିଲେ।

ଫସି ରହିଥିବା ଲୋକଙ୍କ ମଧ୍ୟରୁ ପ୍ରଥମ ରାଉଣ୍ଡରେ ହଂସରାଜ, ଏକେ ଶର୍ମା ଓ ପ୍ରୀତମ ନାମକ ତିନି ଜଣ ଅଧିକାରୀଙ୍କୁ ଉଦ୍ଧାର କରାଯାଇ ଖଣିରୁ ବାହାରକୁ ନିଆଯାଇଥିଲା। ଦ୍ବିତୀୟ ରାଉଣ୍ଡରେ ଜିଡି ଗୁପ୍ତା, ବନେନ୍ଦୁ ଭଣ୍ଡାରୀ, ଏକେ ବୋହରା, ନିରଞ୍ଜନ ସାହୁ ଓ ଭାଗୀରଥ ଏବଂ ତୃତୀୟ ରାଉଣ୍ଡରେ ରମେଶ ନାରାୟଣ ସିଂହ ଓ କରଣ ସିଂହ ବୋହରା ଉଦ୍ଧାର ହୋଇଥିଲେ।