ଓଡ଼ିଶାର ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୀରଗୋବିନ୍ଦପୁର-ଧର୍ମେନ୍ଦ୍ର ପ୍ରଧାନ

ପୁରୀ ବୀରଗୋବିନ୍ଦପୁର ଠାରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ :  ଓଡ଼ିଶାର ଗ୍ରାମ୍ୟ ଜୀବନରେ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଂଚଳ କରାଯିବ । ଏଥିପାଇଁ ଆମେ ସମସ୍ତେ ସାମୂହିକ ଦାୟିତ୍ୱ ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ତଥା ମା’ ଦକ୍ଷୀଣାକାଳୀଙ୍କ ପୀଠ ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱବୋଧ(ସିଏସଆର) ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବୀରଗୋବିନ୍ଦପୁର ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏହି ଗ୍ରାମ ସହ ମୋର ପ୍ରାୟ ୩୦ ବର୍ଷରୁ ଅଧିକ ସମ୍ପର୍କ । ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି । ସେ ସମୟରେ ମଧ୍ୟ ଗ୍ରାମବାସୀଙ୍କର ମା’ ଦକ୍ଷୀଣାକାଳୀଙ୍କ ଥିବା ଶ୍ରଦ୍ଧାକୁ ମୁଁ ମର୍ମେ ଅନୁଭବ କରିପାରିଥିଲି ।

– ବୀରଗୋବିନ୍ଦପୁର ଗାଁ ସହ ମୋର ପ୍ରାୟ ୩୦ ବର୍ଷରୁ ଅଧିକ ସମ୍ପର୍କ
– ପିଲାବେଳ ସମୟରେ ଦେଖିଥିବା କାଳିପୂଜାର ସ୍ମୃତିଚାରଣ କଲେ କେନ୍ଦ୍ରମନ୍ତ୍ରୀ
– ବୀରଗୋବିନ୍ଦପୁର ଗ୍ରାମରେ ଇଣ୍ଡିଆନ ଅଏଲ ପକ୍ଷରୁ କମ୍ୟୁନିଟି ହଲ୍‌, ଯୋଗ ସେଂଟର, ଆଲୋକୀକରଣ, ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ସହ ଶୌଚାଳୟ ଓ ପାନୀୟ ଜଳର ସୁବିଧା କରାଯିବ
– ଗ୍ରାମବାସୀ ଓ ମା’ଦକ୍ଷୀଣାକାଳୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଉପକୃତ ହେବେ
– ମା’ ଦକ୍ଷୀଣାକାଳୀଙ୍କ ପୀଠର ଶୋଭାବର୍ଦ୍ଧନ ବୃଦ୍ଧି ପାଇବ
– ମା’ ଦକ୍ଷୀଣାକାଳୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ଏହି ଅଂଚଳର ସୌନ୍ଦର୍ଯ୍ୟକରଣକୁ ବଢ଼ାଇବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ଏଠାରେ କମ୍ୟୁନିଟି ହଲ୍‌, ଯୋଗ ସେଂଟର, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ । ୫୦ଟି ସୋଲାର୍ ଲାଇଟ୍ ଦ୍ୱାରା ଆଲୋକୀକରଣରର ବ୍ୟବସ୍ଥା କରାଯିବ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଅତ୍ୟାଧନିକ ଶୌଚାଳୟ ନିର୍ମାଣ ସହ ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ ବୀରଗୋବିନ୍ଦପୁର ଗ୍ରାମରେ ଏହି ସୁବିଧା ହେବା ଦ୍ୱାରା କେବଳ ଗ୍ରାମବାସୀ ନୁହେଁ ବରଂ ବିଶେଷ ଭାବରେ କାଳୀପୂଜା ସମୟରେ ମା’ଦକ୍ଷୀଣାକାଳୀଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ । ଏହି କାର୍ଯ୍ୟ ମା’ ଦକ୍ଷୀଣାକାଳୀଙ୍କ ପୀଠ ଶୋଭାବର୍ଦ୍ଧନକୁ ବଢ଼ାଇବ । ପ୍ରଧାନମନ୍ତ୍ରୀ ଡ଼ିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୀରଗୋବିନ୍ଦପୁର ଗ୍ରାମରେ ବିଶେଷ ଭାବରେ ଗ୍ରାମାଂଚଳର ମା’ ଓ ଭଉଣୀଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ଦେବା ପାଇଁ କମ୍ପ୍ୟୁଟର ଲ୍ୟାବ୍ ଥିବା ଏକ ଆଧୁନିକ ପାଠାଗାର ସ୍ଥାପନ କରିବା ପାଇଁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ । ସେହିପରି ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲରେ ସଂନ୍ଧ୍ୟା ସମୟରେ ଭାଗବତ ପଢ଼ା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ବର୍ତମାନ ସମୟରେ ଗରିବ କଲ୍ୟାଣ, ସେବା ଓ ସମନ୍ୱୟର କଳ୍ପନା କରାଯାଉଛି । ଏହି ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଯୁବପିଢିଙ୍କ ମଧ୍ୟରେ ବିଶ୍ୱ କଲ୍ୟାଣର ଭାବନାକୁ ଉଜାଗର କରିବା ଦରକାର ।

ସୂଚନାଯୋଗ୍ୟ ଯେ, ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଦକ୍ଷୀଣାକାଳୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।