ବ୍ରଜରାଜନଗରରେ ବିଜେଡିର ବଡ଼ ବିଜୟ : ୬୬ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା

ତୃତୀୟ ସ୍ଥାନରେ ବିଜେପି

ଝାରସଗୁଡା,(ରିଙ୍କୁ ଦାସ) : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ବଡ଼଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୨୨୫ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ଅଳକା ମହାନ୍ତିଙ୍କୁ ମିଳିଛି ୯୩ ହଜାର ୭୯୦ ଭୋଟ । ୨୭, ୫୬୫ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ସେହିଭଳି ୨୨,୩୧୬ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗଣତି ପରଠାରୁ ଦ୍ୱିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିବେକର ଏହି ମୁକାବିଲାରେ କଂଗ୍ରେସ ଆଗେଇ ଦ୍ୱିତୀୟ ସ୍ଥାନ ହାସଲ କରିଛି । କଂଗ୍ରେସ ବ୍ରଜରାଜନଗରରେ ଏକ ହୋଇ ଲଢ଼େଇ କରିଥିଲା । ସବୁ ବିଧାୟକ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଯାହାର ଫଳ ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।
ଉପନିର୍ବାଚନ ଜିତିବା ପରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁ ବ୍ରଜରାଜନଗରବାସୀଙ୍କୁ ବିପୁଳ ଭୋଟ ପାଇ ବିଜୟୀ ହୋଇଛି । ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି । ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା ।