ସରୁନି ଲୋୟରଇନ୍ଦ୍ର ବିସ୍ଥାପିତଙ୍କ ଦୁଃଖ

ଶୁଣୁନି ନୂଆପଡ଼ା ଜିଲ୍ଲା ପ୍ରଶାସନ

ନୂଆପଡ଼ା: ଦୁଃଖ ଆସେ ଏମିତି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ଘରଦ୍ୱାର ସବୁ ଲିନ ହୋଇଗଲା । ବିଭାଗୀୟ ସର୍ଭେ ତାଳିକାରେ ନାଁ ରହିଲା ନାହିଁ ବୋଲି ସହୟତା ବି ମିଳିଲା ନି । ଏବେ ରାସ୍ତା କଡରେ ଝାଟି ମାଟିର ଭଙ୍ଗା କୁଡିଆରେ ୫ ପ୍ରାଣୀଙ୍କ ଜୀବନ ବିତୁଛି । ୪ ମାସ ହେଲା ସ୍ତ୍ରୀର ଗୋଡା ଭାଙ୍ଗି ଯାଇଥିଲେ ବି ଅର୍ଥ ବାଧକ ସାଜିଥିବାରୁ ଘରେ ପଡି ରହିଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ନୂଆପଡ଼ା କୋମନା ବ୍ଲକ ହରିପୁର ଗାଁରେ ।

ଲାୟରଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଗଲା ଭିଟା ମାଟି । ପ୍ରକଳ୍ପ ହେଲା, ତିନି ଜିଲ୍ଲାର ହଜାର ହଜାର ଏକର ଜମିରେ ସୁନାର ଫସଲ ବି ଫଳିଲା । ହେଲେ କୋମାନା ବ୍ଲକ ହରିପୁର ଗାଁର ସମ୍ବାରୁଙ୍କୁ ମିଳିଲା ଖାଲି ଦୁଃଖ ଆଉ ଦୁଃଖ । କାହିଁକି ନା ସରକାରଙ୍କ ବିସ୍ତାପିତ ତାଲିକାରେ ସମ୍ବାରୁଙ୍କ ନାଁ ନାହିଁ । ଜମିହରାଇଥିଲେ ବି ସରକାରୀ ନଥିରେ ନାଁ ନଥିବାକରୁ କ୍ଷତିପୁରଣ ତାଙ୍କୁ ମିଳୁନି । ରାସ୍ତାକଡରେ ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜୁଥିଲେବି ତାହା ଏବେ ଭାଙ୍ଗିି ଦିନରେ ଖରା ଓ ରାତିରେ ତରା ଦିଶୁଛି । ଭଙ୍ଗା କୁଡିଆରେ ୫ ପ୍ରାଣୀଙ୍କ ଜୀବନ ବିତୁଥିବା ବେଳେ,୪ ମାସ ହେଲା ସମ୍ବାରଙ୍କ ସ୍ତ୍ରୀର ଗୋଡା ଭାଙ୍ଗି ଯାଇିଛି । ହେଲେ ପ୍ରକଳ୍ପରେ ଭିଟା ମାଟି ହରାଇଥିବା ପରିବାର ଲାଗି ଅର୍ଥ ବାଧକ ସାଜିଥିବାରୁ ଚିକିତ୍ସା ନପାଇ ଘରେ ପଡି ରହିଛନ୍ତି ସମ୍ବାରୁଙ୍କ ସ୍ତ୍ରୀ । ସେପଟେ ପ୍ରକଳ୍ପ ଉଦଘାଟନ କରାଇ ବାହା ବାହା ନେଉଥିବା ନୂଆପଡା ଜିଲ୍ଲାପାଳଙ୍କୁ କିନ୍ତୁ ବିସ୍ତାପିତଙ୍କ ଦୁଃଖ ଦିଶୁନି । ନୂଆପଡାରୁ ଲୋକନାଥ ମହାପାତ୍ରଙ୍କ ରିପୋର୍ଟ …

କୋମନା ବ୍ଲକ ହରିପୁର ଗାଁରେ ରୁହନ୍ତି ସମ୍ବାରୁ ପରାଭୁଏ(୪୦), ସ୍ତ୍ରୀ ପଦ୍ମିନୀ ପରାଭୁଏ(୩୫), ଦୁଇ ଝିଅ, ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ଜମି ବାଡି କହିଲେ କିଛି ନାହିଁ । ସରକାରୀ ଜମିରେ ଘର ଖଣ୍ଡିଏ କରି ରହୁଥିଲେ । କଲିି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଗତ ୨୧ ବର୍ଷ ତଳେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପରେ ହରିପୁର ଗାଁ ସମ୍ପୁର୍ଣ୍ଣ ବୁଡି ଗାଁ ଘୋଷଣା ହୋଇଥିଲେ । ବିଭାଗୀୟ ଅଧିକାରୀ ମାନେ ସର୍ଭେ କରି ବିସ୍ଥାପିତ ତାଳିକା ପ୍ରସ୍ତୁତ କରିଥିଲେ । ସମ୍ବାରୁ ଓ ସ୍ତ୍ରୀ ପଦ୍ମିନୀ କାମ ଧନ୍ଦା ଅଭାବ ହେତୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବାରୁ ବିସ୍ଥାପିତ ତାଳିକାରେ ନାଁ ଯୋଡି ହୋଇନଥିଲା । ସେଠାରୁ ଫେରି ବିସ୍ଥାପିତ ତାଳିକାରେ ନିଜ ନାଁ ଯୋଡିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଲିଖିତ ଜଣାଇଥିଲେ । ହେଲେ ବିସ୍ଥାପିତ ତାଳିକାରେ ନାଁ ଖଣ୍ଡିଏ ଯୋଡି ନପାରିବାରୁ ସହାୟତା ରାଶି ମିଲିନଥିଲା । ଏମିତି ଦେଖୁ ଦେଖୁ ୨୦ ବର୍ଷ ବିତି ଗଲା । ପ୍ରକଳ୍ପ ଗର୍ଭରେ ଘରଦ୍ୱାର ସବୁ ଲିନ ହୋଇଗଲ।। ଶେଷରେ ଘର ଛାଡି ହରିପୁର ଗାଁର ଜାତୀୟ ରାଜପଥ ୩୫୩ ପାଶ୍ୱରେ ସରକାରୀ ଜମିରେ ଦୁଇ ବଖରା ଝାଟି ମାଟିର କୁଡିଆ ତିଆରି କରି ଆଶ୍ରୟ ନେଇଥିଲେ । ସ୍ୱାମୀ ଓ ସ୍ତ୍ରୀ ଯାହା କିଛି ରୋଜଗାର କରୁଥିଲେ ସେଥିରେ ୫ ପ୍ରାଣୀଙ୍କ ପେଟ ପୁରିବା ମୁସ୍କିଲ । ଏଭଳି ସ୍ଥିତିରେ ଘର ଖଣ୍ଡିଏ ତିଆରି କରିବା ସମ୍ବାରୁଙ୍କ ପାଇଁ ବଡ ସ୍ୱପ୍ନ ହୋଇ ରହିଗଲା । ଘର ଖଣ୍ଡିଏ ପାଇଁ ପରିବାର ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ବି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ।
ଗତ ବର୍ଷ ଲଗାଣ ବର୍ଷାରେ ଝାଟି ମାଟିର କୁଡିଆର ଗୋଟିଏ ବଖରା ଘର ସମ୍ପୁର୍ଣ୍ଣ ଭାଙ୍ଗି ତଳେ ପଡି ଯାଇଥିଲା । ଅନ୍ୟ ଏକ ବଖରା ମାଟି କାନ୍ଥ ଚାରିପଟେ ଆଁ କରିଥିବା ବେଳେ ବର୍ଷା ପାଣି ସବୁ ଘର ଭିତରେ ପଡୁଛି । ପଲିଥିନ ଖଣ୍ଡିଏ ଟାଣି ବିପଦ ସଙ୍କୁଳ ଘରେ ପରିବାର ୫ ପ୍ରାଣୀ ଆଶ୍ରୟ ନେଇଛନ୍ତି । କେତେ ବେଳେ ବି ଝାଟି ମାଟିର ଘର ଭାଙ୍ଗି ଯିବା ତାହା କହିହେବ ନାହିଁ । ସତେ ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କାଘର ଯୋଜନା ଏମାନଙ୍କ ପାଇଁ ଦିବାସ୍ୱପ୍ନ ହୋଇ ରହିଛି । ଏତିକିରେ ସମ୍ବାରୁଙ୍କ ଦୁଃଖ ସରିନଥିଲା । ଗତ ୪ ମାସ ତଳେ ସ୍ତ୍ରୀ ପଦ୍ମିନୀ ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ଡାହାଣ ଗୋଡ ଜଙ୍ଘ ପାଖରେ ଭାଙ୍ଗି ଯାଇଥିଲା । ଅର୍ଥାଭାବରୁ ହସ୍ପିଟାଲରେ ଚିକିତ୍ସ କରି ପାରନଥିଲେ । ଶେଷରେ ଚେରିମୁଲି ଔଷଧରେ ଗୋଡକୁ ବାନ୍ଧି ଦେଇଥିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ଡାହାଣ ଗୋଡ ଅକାମି ହୋଇଗଲା । ଏବେ ଗୋଡ ଫୁୁଲି ଯାଇ ସଂକ୍ରମିତ ଅବସ୍ଥାରେ ରହିଛି । ପଦ୍ମିନୀ ଚଳାବୁଳା କିଛି କରି ପାରୁନାହାନ୍ତି । ଘର ଭିତରେ ଦିବ୍ୟାଙ୍ଗ ଭଳି ଦିନ ରାତି ପଡି ରହିଛନ୍ତି । ଦୁଇ ଝିଅ ଓ ସ୍ୱାମୀ ତାଙ୍କୁ ଚାରି ଗୋଡ ହାତ ଧରି ବାହାକୁ ଆଣିନ୍ତି । ସେଠି ଗାଧୋଇବା ସହ ଖାଇବା ଦେଇ ପୁଣି ଘର ଭିତରେ ରଖିଥାନ୍ତି । ଏମିତିକି ଶୌଚ ପାଇଁ ବି ବାହାରକୁ ଯାଇ ପାରିନଥାନ୍ତି । ଏଭଳି ଦିବ୍ୟାଙ୍କ ସାଜି ଘରେ ପଡି ରହିଛନ୍ତି । ସ୍ୱାମୀ ରୋଗାଣା ହୋଇ କାମ ଧନ୍ଦା କିଛି କରିନପାରି ଘରେ ସ୍ତ୍ରୀଙ୍କ ସେବାଯତ୍ନ ନିଅନ୍ତି । ନାବାଳିକା ଝିଅ ଲୋକଙ୍କ ଘରେ ମୁଳ ଲାଗି ଯାହା କିଛି ରୋଜଗାର କରନ୍ତି, ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳୋ ଏଭଳି ସ୍ଥିତିରେ ସ୍ତ୍ରୀର ଚିକିତ୍ସା କରିବା ଓ ଘର ଖଣ୍ଡିଏ ତିଆରି କରିବା ସମ୍ବାରୁଙ୍କ ପକ୍ଷେ ଅସମ୍ଭବ ହୋଇଛି । ତେବେ ପଦ୍ୱିନୀଙ୍କ ମାଗଣା ଉଚ୍ଚ ଚିକିତ୍ସା କରିବା ସହ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବୀ କରିଛନ୍ତି । ଏନେଇ କୋମନା ବିଡିଓ ସଦାଶିବ ଭାତ୍ରାଙ୍କୁ ପଚାରିବାରୁ, ନିର୍ମାଣ ଶ୍ରମିକ ଘର ତାଳିକାରେ ତାଙ୍କର ନାଁ ରହିଛି । ଏଥିରେ ବାସ ଗୃହ ଯୋଗାଇ ଦେବୁ । ସେହିପରି ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ରୋଗୀ କଲ୍ୟାଣ ଯୋଜନାରେ ସାମିଲ କରି ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଥିଲେ ।