ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା: ୨ ମୃତ

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ ।

ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ର ବସ୍ତିର ଗୁରୁଚାନ୍ଦ ରାୟ (୪୪) ଏବଂ ବିଦୁଭୂଷଣ ମାଇତି (୪୯) ।

ସବୁଠାରୁ ବଡ଼ କଥା ହେଲା, ବାବୁ ମିର୍ଦ୍ଧା ନାମକ ଜଣେ ଯୁବ ଧୀବର ଏକ ହୁଲି ଡଙ୍ଗା ମାଧ୍ୟମରେ ସେହି ସମୟରେ ନଦୀରେ ମାଛ ଧରୁଥିଲେ । ବୁଡ଼ିଯାଉଥିବା ଡଙ୍ଗା ନିକଟରେ ହୁଲି ଡଙ୍ଗାରୁ ମାଛ ମାରୁଥିବା ବେଳେ ବଡ଼ ଡଙ୍ଗାଟି ବୁଡ଼ିଯାଇଥିଲା । ଭଗବାନ ଯେପରି ଏହି ଯୁବକଙ୍କୁ ପଠାଇଥିଲେ ଧୀବର ମାନଙ୍କୁ ବଞ୍ଚାଇବା ଲାଗି । କାଳ ବିଳମ୍ବ ନକରି ବାବୁ ଜଣକ ପରେ ଏହିପରି ଗଭୀର ଜଳରେ ବୁଡ଼ି ଯାଉଥିବା ୧୩ ଜଣଙ୍କ ଜୀବନ ବଞ୍ଚାଇଥିଲେ । ପାଣିରୁ ଉଦ୍ଧାର କରି ବାବୁ ୧୩ ଜଣ ଧୀବରଙ୍କୁ ନୂଆ ଜୀବନ ଦେଇଥିଲେ । ନିଜ ଜୀବନକୁ ପାଣି ଛଡ଼ାଇ ୧୩ଟି ମୂଲ୍ୟବାନ ଜୀବନ ବଞ୍ଚାଇଥିବାରୁ ବାବୁଙ୍କ ଏହି କାମ ପାଇଁ ସମସ୍ତେ ପ୍ରଶଂସା କରିଛନ୍ତି ।

ଉଦ୍ଧାର ହୋଇଥିବା ସମସ୍ତ ଧୀବର ମାନଙ୍କୁ ଚିକିତ୍ସା ନିମନ୍ତେ ଅଠରବାଙ୍କି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ ଭୀମ ମଣ୍ଡଳ ଓ ନୀଳକଣ୍ଠ ବୈଦ୍ୟ ନାମକ ଦୁଇ ଜଣ ଧୀବରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।