ଏଥର ଜେଲରେ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଏବେ ଜେଲରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଉକ୍ତ ଗାଇଡ୍‌ଲାଇନରେ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ଉତ୍ତମ ଭବିଷ୍ୟ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆହୁରି ମଧ୍ୟ ଅନେକ ସୁବିଧା ସୁଯୋଗ ରହିଛି ।

ତାହା ହେଲା-

-ଯଦି ଶିଶୁଟି ଜେଲ୍‌ ବାହାରେ ରହୁଥାଏ ଓ ତା’ର ପିତାମାତା ଅତିକମରେ ୬୦ଦିନ ଜେଲରେ ରହିଥାନ୍ତି , ତେବେ ସଂପୃକ୍ତ ଶିଶୁକୁ ମଧ୍ୟ ମଧ୍ୟାହ୍ନ ଭୋଜନର ସୁବିଧା ମିଳିପାରିବ ।

-ନୂଆ ଗାଇଡଲାଇନ୍‌ରେ ବିଶେଷ ଭାବେ ୦-୬ବର୍ଷର ଶିଶୁଙ୍କୁ ଗୁରୁତ୍ୱ ଦିଆଯାଇଛି । ଜୁଭେନାଇଲ ଆଇନ ଅନୁଯାୟୀ, ଜେଲ୍‌ ବାହାରେ ଥିବା ଯେଉଁ ଶିଶୁମାନଙ୍କ ପାଇଁ ଶିଶୁ କଲ୍ୟାଣ କମିଟି(ସିଡବ୍ଲìସି) ପକ୍ଷରୁ ସ୍ୱତନ୍ତ୍ର ଯତ୍ନ ଓ ସୁରକ୍ଷା ଘୋଷଣା ହୋଇଛି ସେମାନେ ମଧ୍ୟ ଏହି ଯୋଜନାର ସୁବିଧା ନେଇପାରିବେ ।

-ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଜେଲ୍‌ ନିକଟସ୍ଥ ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ନୋଡାଲ କେନ୍ଦ୍ର ଭାବେ ଘୋଷଣା କରିବେ ।

-ଜେଲରେ ପିତାମାତାଙ୍କ ସହ ଥିବା ଶିଶୁକୁ ଆବଶ୍ୟକ ପୁଷ୍ଟିକର ଓ ଟିକାକରଣ ସୁବିଧା ଯୋଗାଇ ଦିଆଯିବ ।

-ଜେଲରେ ଅଧିକ ଶିଶୁ ରହିଥିଲେ, ଜେଲ୍‌ର ମାନୁଆଲ ନିୟମ ଅନୁସାରେ ସେଠାରେ ଅସ୍ଥାୟୀ ଭାବେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କମ୍‌ ପିଲା ଥିବେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

-ସେହିପରି ୬ବର୍ଷର ଶିଶୁକୁ ମାଆର ଅନୁମତି କ୍ରମେ ଅଭିଭାବକଙ୍କ ନିକଟରେ ରହିବାର ସୁଯୋଗ ଦିଆଯିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ) ଜେଲ୍‌ ଭିତରେ ଶିଶୁ ଓ ଅଭିଭାବକଙ୍କୁ କାଉନସେଲିଂ କରିବେ ।

-୬-୧୪ବର୍ଷର ଶିଶୁଙ୍କ ପାଇଁ ସ୍କୁଲ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଯଦି ଶିଶୁଟି କୌଣସି ସ୍କୁଲରେ ଆଡମିସନ୍‌ ନେଇ ନାହିଁ ତାହାଲେ ସରକାରୀ ସୁବିଧା ପାଇବାର ୬ମାସ ଭିତରେ ଅଭିଭାବକ ଶିଶୁର ସ୍କୁଲ ଆଡମିସନକୁ ସୁନିଶ୍ଚିତ କରିବେ ।

-ଜେଲ୍‌ ବାହାରେ ଥିବା ଶିଶୁଟି ଯଦି ସିଏନସିପି(ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ) ବୋଲି ଚିହ୍ନଟ ହୁଅନ୍ତି, ତେବେ ରାଜ୍ୟରେ ଉପଲବ୍ଧ ହେଉଥିବା ବିଭିନ୍ନ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ସୁବିଧା ଯୋଗାଇ ଦିଆଯିବ । ଅଣ ଆନୁଷ୍ଠାନିକ ଯତ୍ନ ଭାବେ ଶିଶୁଟିକୁ ବିଜୁ ଶିଶୁ ସୁରକ୍ଷା ଯୋଜନା(ବିଏସ୍‌ଏସ୍‌ୱାଇ), ଫୋଷ୍ଟର କେୟାର ଭଳି ସୁବିଧା ମିଳିପାରିବ ।

-ସେହିପରି ଯଦି ସିଡବ୍ଲìସି ଯଦି ଶିଶୁଟିକୁ ଶିଶୁ ଯତ୍ନ ପ୍ରତିଷ୍ଠାନ(ସିସିଆଇ)ରେ ରହିବା ଲାଗି ନିର୍ଦ୍ଦେଶ ଦିଅନ୍ତି, ତାହାଲେ ଶିଶୁଟିକୁ ରାଜ୍ୟରେ ପରିଚାଳିତ ସିସିଆଇରେ ରଖାଯିବ । ଏହାସହ ଅତିକମରେ ମାସକରେ ଥରେ ଅଭିଭାବକ ନିଜର ଶିଶୁ ସହ ଯେପରି ବ୍ୟକ୍ତିଗତ/ଟେଲିଫୋନ୍‌ ଜରିଆରେ କଥା ହୋଇପାରିବେ ଡିସିପିୟୁ ଏହାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

-ପ୍ରତି ୩ମାସରେ ଥରେ ଜିଲ୍ଲା/ସର୍କଲ ଜେଲ ପ୍ରଶାସନ ଶିଶୁଙ୍କ ସଂଖ୍ୟା, ଲିଙ୍ଗ, ବୟସ ସହିତ ଶିଶୁର ଆବଶ୍ୟକ ହେଉଥିବା ମାନସିକ ସ୍ୱାସ୍ଥ୍ୟ ସେବା ଯେପରି ମିଳିପାରିବ ତାହାକୁ ସିଡିଏମ୍‌ଓଙ୍କ ସହିତ ଆଲୋଚନା କରି ସୁନିଶ୍ଚିତ କରିବେ ।

-ଡିସିପିୟୁ (ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ )ଯୋଜନା ଅଧୀନରେ ସୁବିଧା ପାଉଥିବା ଶିଶୁଙ୍କ ବ୍ୟକ୍ତିଗତ ସୂଚନା ରଖିବା ସହିତ ସେମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ଜେଲ୍‌ ବାହାରେ ପରିବାର ସହ ରହୁଥିବା ଶିଶୁଙ୍କ ମାସିକ ରିପୋର୍ଟ ସହିତ ଜେଲରେ ଥିବା ଶିଶୁଙ୍କୁ ମିଳୁଥିବା ସେବାର ନିରୀକ୍ଷଣ ମିଳିତ ଭାବେ ସିଡବ୍ଲìସି ଓ ଡିସିପିୟୁ କରିବେ ବୋଲି ଗାଇଡଲାଇନ୍‌ରେ କୁହାଯାଇଛି ।