ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର : କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ | ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି |

କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ |

ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ କୋଭିଡ ର ଡାକ୍ତର ଓ ନର୍ସ |
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ |
ମୁରଲୀଧର ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ। ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା |

କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |