କୋରୋନା ମୁକାବିଲା: ଚୀନକୁ ୧୫ ଟନ ମେଡିକାଲ ଉପକରଣ ଦେଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ରୁ ବ୍ୟାପିବା ଆରମ୍ଭ କରିଥିବା ଘାତକ କୋରୋନା ଭାଇରସ ଏବେ ବିଶ୍ୱ ପାଇଁ ମହାମାରୀ ପାଲଟିଛି । ଜାନୁଆରୀ, ଫେବୃଆରୀ ମାସରେ କୋରୋନା ଭୂତାଣୁ ପ୍ରଭାବରେ ଚୀନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ଯାଇଥିଲା । ଏଭଳି ସ୍ଥଳେ ଭାରତ ସରକାର ଚୀନର ବିପଦର ବନ୍ଧୁ ସାଜି କୋରୋନାକୁ ପ୍ରତିରୋଧ କରୁଥିବା ଆବଶ୍ୟକୀୟ ସାମଗ୍ରୀ ଯୋଗାଇଥିଲେ । ବୁଧବାର ଲୋକସଭାରେ ଚୀନକୁ କୋରୋନା ସଂକ୍ରମଣ ସମୟରେ ସହାୟତାର ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ।

ଏହି ଚିକିତ୍ସା ସାମଗ୍ରୀରେ ଏକ ଲକ୍ଷ ସର୍ଜିକାଲ୍ ମାସ୍କ, ୫ ଲକ୍ଷ ଯୋଡି ସର୍ଜିକାଲ୍ ଗ୍ଲୋଭସ୍, ୭୫ ଖଣ୍ଡ ଇନଫ୍ୟୁଜନ୍ ପମ୍ପ, ୩୦ ଖଣ୍ଡ ଏଂଟ୍ରାଲ ଫିଡିଂ ପମ୍ପ, ଡିଫିବ୍ରିଲେଟରର ୨୧ ଖଣ୍ଡ ଓ ୪,୦୦୦ ଖଣ୍ଡ N-95 ମାସ୍କ ପ୍ରଦାନ କରାଯାଇଛି । ଏହି ଚିକିତ୍ସା ସାମଗ୍ରୀର ମୂଲ୍ୟ ପ୍ରାୟ ୨.୧୧ କୋଟି ଓ ଏହାକୁ ଉହାନର ହୁବେ ଚ୍ୟାରିଟି ଫେଡେରେଶନକୁ ହସ୍ତାନ୍ତର କରାଯାଇଛି ବୋଲି ମୁରଲୀଧରନ କହିଛନ୍ତି ।

ଚୀନ୍‌ରେ କରୋନା ଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୮, ୨୦୨୦ ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଚିଠି ଲେଖି ସହାୟତା ପାଇଁ ଆଶ୍ୱସନା ଦେଇଥିଲେ । ପରେ ଫେବୃଆରୀ ୨୬ ତାରିଖରେ ଚୀନକୁ ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଚିକିତ୍ସା

ଉପକରଣ ସହିତ ସରକାର ୧୫ ଟନ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଏହି ସାମଗ୍ରୀ ଗୁଡିକ ଭାରତୀୟ ବାୟୁସେନା ଉ-୧୭ ସ୍ୱତନ୍ତ୍ର ବିମାନ ଦ୍ୱାରା ଚାଇନାର ଉହାନରେ ଅବତରଣ କରିଥିଲା ​​ବୋଲି ମୁରଲୀଧରନ୍ କହିଛନ୍ତି ।