ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।
କମିଶନର ତଥା ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କେତେକ ଲୋକ ନିଜ ଗୃହରେ ରଖିଥିବା ପୋଷା ତଥା ଗୃହପାଳିତ ଜୀବଜନ୍ତୁଙ୍କୁ କରୋନା ସଂକ୍ରମଣ ଭୟରେ ଘରୁ ବାହାର କରିଦେବା କିମ୍ବା ପରିତ୍ୟାଗ କରିବା ଘଟଣା ବିଭାଗର ନଜରକୁ ଆସିଛି । ଫଳରେ ଏହି ନିରୀହ ପଶୁମାନେ ଖାଦ୍ୟ, ପାନୀୟ ଓ ଆଶ୍ରୟ ଠିକ୍ ଭାବରେ ପାଉନାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣରେ କୁକୁର ଓ ବିରାଡ଼ିଙ୍କ ପରି ପୋଷା ଜନ୍ତୁଙ୍କର କୌଣସି ଭୂମିକା ନାହିଁ ।
କୋଭିଡ୍-୧୯ କେବଳ ମନୁଷ୍ୟ ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ । ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ ପୋଷା ଜୀବଜନ୍ତୁଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ହେବାର କୌଣସି ପ୍ରମାଣ ନାହିଁ । ତେଣୁ ପୋଷା ଜୀବଜନ୍ତୁ ତଥା ଗୃହପାଳିତ ପ୍ରାଣୀମାନଙ୍କୁ କରୋନା ଭୟରେ ଘରୁ
ଛାଡ଼ିଦେବା କିମ୍ବା ପରିତ୍ୟାଗ କରିବାର କୌଣସି ଯଥାର୍ଥତା ନାହିଁ । ଏହା ବ୍ୟତୀତ ଏପରି କାର୍ଯ୍ୟ ପ୍ରାଣୀମଙ୍ଗଳର ବିରୁଦ୍ଧାଚରଣ କରୁଛି । ତେଣୁ କରୋନା ଭୂତାଣୁ ସଂକ୍ରମଣରେ ପୋଷାଜନ୍ତୁଙ୍କ ସଂପୃକ୍ତି ଆଶଙ୍କା ତ୍ୟାଗ କରି ସେ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟିପୂର୍ବକ ଲୋକମାନଙ୍କୁ ସେମାନଙ୍କ ପୋଷା/ଗୃହପାଳିତ ଜୀବଜନ୍ତୁ ଛାଡ଼ି ନଦେବା ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି ନିଷ୍ଠୁରତା ପ୍ରଦର୍ଶନ ନକରିବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପୋଷା ଜୀବଜନ୍ତୁଙ୍କ ପ୍ରତି ସର୍ବଦା ଅନୁକୂଳ ବ୍ୟବହାର ପ୍ରଦର୍ଶନ କରିବା, ଠିକ୍ ସମୟରେ ଖାଦ୍ୟପାନୀୟ ଦେବା, ସେମାନଙ୍କ ମଳମୂତ୍ର ପରିଷ୍କାର କରିବା ପରେ ସଂପୃକ୍ତ ବ୍ୟକ୍ତି ସଂକ୍ରମଣ ପ୍ରତିରୋଧକ ଭାବରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ପୋଷା ଜୀବଜନ୍ତୁଙ୍କ ସୁରକ୍ଷାର ଗୁରୁତ୍ୱ ବଜାୟ ରଖିବା ପାଇଁ ଏହି ପତ୍ରରେ ପରାମର୍ଶ ଦିଆଯାଇଛି ।