ଆଜିଠୁ ଖୋଲିଲା ୟୁନିଟ୍ ୪ ମାର୍କେଟ

ଭୁବନେଶ୍ଵର: ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ଆଜିଠୁ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରଖିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି । ୟୁନିଟ-୪ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ହୋଲସେଲ୍‌ ମାର୍କେଟ୍ ହୋଇଥିବାବେଳେ ସବୁଠୁ ବଡ଼ ଆମିଷ ମାର୍କେଟ୍। ‌ତେଣୁ ବ୍ୟବସାୟୀମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖି ବିଏମସି ‌ମାର୍କେଟ୍ ଖୋଲିବାକୁ ଅନୁମତି ଦେଇଛି । ମାର୍କେଟରେ ଯେପରି ସମସ୍ତ ବ୍ୟବସାୟୀ ମାସ୍କ ପିନ୍ଧିବେ, ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ସାମଗ୍ରୀ ଦେବେନି, ସାମାଜିକ ଦୂରତା ନିୟମ ମାନିବେ ଏବଂ ବିଏମ୍‌ସିର ଏସ୍‌ଓପି ମାନିବାକୁ ବ୍ୟବସାୟୀମାନେ ଲିଖିତ ଭାବେ ଜଣାଇଛନ୍ତି। ତେଣୁ ବିଏମସି ପକ୍ଷରୁ ଏହି ମାର୍କେଟ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଯଦି ଆଗାମୀ ଦିନରେ କେହି ନିୟମ ଉଲ୍ଲଂଘନ କରୁଥିବା ଜଣା‌ଯାଏ ତେବେ ବିଏମସି ପକ୍ଷରୁ ମାର୍କେଟ୍‌ ପୁଣି ବନ୍ଦ କରି ଦିଆଯିବ ବୋଲି ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି ।

ସୂଚନାଯୋଗ୍ୟ ୟୁନିଟ-୪ ମାର୍କେଟରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଏହି ମାର୍କେଟ୍‌କୁ ସିଲ କରିଦିଆଯାଇଥିଲା। ଏହାପରେ ଏଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀ, ମାଛ ମାର୍କେଟରେ ବସୁଥିବା ବ୍ୟବସାୟୀଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ଏଥିରୁ ଆଉ ୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୂରା ମାର୍କେଟକୁ ସାନିଟାଇଜ୍ କରାଯାଇଥିଲା। ସିଲ୍‌କୁ ୧୪ଦିନ ପୂରି ଯାଇଥିବାରୁ ଆଜି ବିଏମ୍‌ସି ପକ୍ଷରୁ ମାର୍କେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା।